ନୟାଗଡ଼, ୨୪।୧୦ (ଲୋକନାଥ ମିଶ୍ର): ବାର୍ହା ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବାଣୀଗୋଛା ଥାନା ଅନ୍ତର୍ଗତ ଦୁଡ଼ା ପଞ୍ଚାୟତର କନଡ଼ି ଗାଁର ବାବୁଲା ନାୟକ (୩୦)।
ସୂଚନା ଅନୁଯାୟୀ, ଶୁକ୍ରବାର ବାବୁଲା ଏକ ନାଳ ଡେଇଁ ନାଗେଶ୍ୱର ସାହିରେ ଥିବା ନିଜ ସଙ୍ଗାତଙ୍କ ଘରକୁ ଯାଉଥିବା ବେଳେ ଜଙ୍ଗଲରେ ବିଛାଯାଇଥିବା ବାର୍ହା ଫାଶରେ ପଡ଼ିଯାଇଥିଲେ। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ବାଣୀଗୋଛା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ତାଙ୍କୁ ଦଶପଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ବାବୁଲାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ମେଡିକାଲରେ ରଖାଯାଇଛି।
ସବୁଠାରୁ ଦୁଃଖଦ କଥା ହେଉଛି, ବାବୁଲାଙ୍କ ଝିଅକୁ ମାତ୍ର ମାସେ ପୂରିଛି। ଏଭଳି ସମୟରେ ବାପାଙ୍କୁ ହରାଇ ଶିଶୁଟି ବାପାଛେଉଣ୍ଡ ହୋଇଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅନ୍ୟପକ୍ଷରେ, ବନ ବିଭାଗର ନଜର ଏଡ଼ାଇ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ଶିକାରୀମାନେ ଜଙ୍ଗଲରେ ଫାଶ ବିଛାଉଥିବା ଅଭିଯୋଗ ହେଉଛି। ଏଭଳି ବେଆଇନ ଶିକାର ଯୋଗୁ ଜଙ୍ଗଲୀ ଜନ୍ତୁଙ୍କ ସହ ମଣିଷଙ୍କ ଜୀବନ ମଧ୍ୟ ବିପଦରେ ପଡ଼ୁଛି।