ବ୍ରହ୍ମପୁର,୧୨।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ କୁକୁଡାଖଣ୍ଡିର ଜ୍ୟୋତିର୍ମୟ ଦଳାଇ(୨୫)। ଅଭିଯୁକ୍ତଙ୍କ ବ୍ୟବହୃତ ମୋବାଇଲ ଫୋନ୍କୁ ପୋଲିସ ଜବତ କରିଛି। ଏନେଇ ପୋଲିସ ଏକ ମାମଲା (ନଂ. ୮୦/୨୫) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଜ୍ୟୋତିର୍ମୟ କିଛି ଦିନ ହେବ ଜଣେ ଯୁବତୀଙ୍କୁ ଫୋନ ଓ ମେସେଜ କରି ନାନା ପ୍ରକାର ହଇରାଣ କରୁଥିଲେ । ଯୁବତୀ ଜଣଙ୍କ ତାଙ୍କଠାରୁ ଦୂରେଇ ରହୁଥିଲେ। ହେଲେ ୨ ଦିନ ତଳେ ଜ୍ୟୋତିର୍ମୟ ସମ୍ପୃକ୍ତ ଯୁବତୀଙ୍କୁ ହ୍ବାଟସଆପରେ ଏକ ଅଶ୍ଳୀଳ ଫଟୋ ପଠାଇଥିଲେ। ଏ ନେଇ ଯୁବତୀ ଜଣଙ୍କ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


