ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା ପୋଲିସ । ଜଣେ ବିଧବା ମହିଳାଙ୍କଠାରୁ ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ରବିବାର ଗଞ୍ଜାମ ସାଇବର କ୍ରାଇମ୍ ଥାନା ପୋଲିସ ଗିରଫ କରିଛି । ସେହିପରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଥିବା ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।
ପୋଲିସ କହିବା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ନିଜକୁ ଭୁବନେଶ୍ୱରର ସାଈ କୃପା ଦାସ ବୋଲି ପରିଚୟ ଦେଇଥିଲା। ସେ ନିଜ ବାପାଙ୍କ ଆଗରୁ ଥିବା ରୋଗ ଏବଂ ତାଙ୍କ ଦେହାନ୍ତ ଓ ନିଜେ ସୋରିଆସିସ୍ (ଚର୍ମରୋଗ)ରେ ପୀଡ଼ିତ ଥିବା ନେଇ ମିଥ୍ୟା କାହାଣୀ ରଚି ବାହାଘର ବାହାନାରେ ମହିଳାଙ୍କ ସହାନୁଭୂତି ହାସଲ କରିଥିଲା। ପରେ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ସାଈ କୃପା ଦାସ ନାମକ ବ୍ୟକ୍ତିଜଣକ ପ୍ରକୃତରେ ରାକେଶ ରାଜପୁତ। ରାକେଶ ଜାଲ୍ ଆକାଉଣ୍ଟ ଜରିଆରେ ବେଆଇନ ଭାବେ ଅନେକ ଥର ଟଙ୍କା ଆଦାୟ କରିବା ପାଇଁ ଉତ୍ତମଙ୍କ ସହାୟତା ନେଇଥିଲେ।
ମହିଳା ଜଣଙ୍କର ବିଶ୍ୱାସ ଜିତିବା ପାଇଁ ରାଜପୁତ ମିଥ୍ୟା ଫଟୋ, ନକଲି ଦସ୍ତାବିଜ୍ ଏବଂ ମେଡିକାଲ୍ ରିପୋର୍ଟ ପଠାଉଥିଲେ । ଏପରିକି ଏକ ସରକାରୀ ବ୍ୟାଙ୍କରେ ଥିବା ତାଙ୍କ ଆକାଉଣ୍ଟ ସିଜ୍ ହୋଇଯାଇଥିବା ଏବଂ ତାଙ୍କର ଜରୁରୀ ଟଙ୍କା ଆବଶ୍ୟକ ଥିବା ନେଇ ସେ ଜଣାଇଥିଲେ। ରାକେଶଙ୍କ କଥାକୁ ବିଶ୍ୱାସ କରି ମହିଳା ଜଣକ ସୁନା ଋଣ ଏବଂ ପରିବାର ଲୋକ ଓ ସମ୍ପର୍କୀୟଙ୍କଠାରୁ ଉଦ୍ଧାର ଆଣି ପାଖାପାଖି ୬୦ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ସେ ସାହୁଙ୍କ ମାଧ୍ୟମରେ କ୍ରମାଗତ ଭାବେ ଏକାଧିକ ଥରରେ ବ୍ୟାଙ୍କ ଜରିଆରେ ଏହି ଟଙ୍କା ପଠାଇଥିଲେ ବୋଲି ପୋଲିସ ସୂଚନା ଦେଇଛି।
ପରେ ସନ୍ଦେହ ହେବାରୁ ମହିଳା ଜଣକ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ। ଭୁବନେଶ୍ୱର ଥାନା ଏହି ମାମଲାକୁ ଗଞ୍ଜାମ ଜିଲା ସାଇବର ଥାନାକୁ ହସ୍ତାନ୍ତର କରିଥିଲା ଏବଂ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ସାହୁ ନିଜର ଦୋଷ ସ୍ୱୀକାର କରିଛନ୍ତି ଏବଂ ତାଙ୍କୁ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ଉତ୍ତମଙ୍କ ନିକଟରୁ ଏକାଧିକ ଏଟିଏମ୍ କାର୍ଡ, ୧୦,୦୦୦ ଟଙ୍କା ନଗଦ ଏବଂ ଗୋଟିଏ ସ୍ମାର୍ଟଫୋନ୍ ଜବତ କରିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ଆଇଆଇସି ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି ।