ମମିତା ମିଷ୍ଟ୍ରି : ଷ୍ଟାଡିୟମ ଖୋଳୁ ଖୋଳୁ ମିଳିଲା ପୋଡ଼ା ମୃତଦେହ

ଭବାନୀପାଟଣା,୧୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣା ଏବେ ନୂଆମୋଡ଼ ନେଇଛି। କୌଣସି ଖବରପାଇ ପୋଲିସ ମଙ୍ଗଳବାର ସକାଳେ ସ୍କୁଲ ଷ୍ଟାଡିୟମରେ ଖୋଜାଖୋଜି ଆରମ୍ଭ କରିଥିଲା। ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ କରିଥିଲା ବେଳେ ମାତ୍ର ୩ ଘଣ୍ଟା ପରେ ୮-୧୦ ଫୁଟ ତଳୁ ଏକ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି। ଉକ୍ତ ସ୍ଥାନକୁ ପୋଲିସ ଚାରିପଟୁ ସିଲ କରି ଦେଇଛି। ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ, ବ୍ରେସ୍‌ଲେଟ, ମୁଦି ଆଦି ସାମଗ୍ରୀ ଜବତ ହୋଇଛି। ଏହା ମମିତାଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି। ଘଟଣାସ୍ଥଳରେ ମମିତାଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ ମଧ୍ୟ ପୋଲିସ ତରଫରୁ ସେମାନଙ୍କୁ କୌଣସି ସହଯୋଗ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ପରିବାର ଲୋକଙ୍କୁ ମୃତଦେହ କିମ୍ବା ସେଠାରୁ ମିଳିଥିବା କୌଣସି ସାମଗ୍ରୀ ଦେଖାଯାଇ ନ ଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ବଡ଼ ବାପା। ପୋଲିସ ନିକଟରୁ ସେମାନଙ୍କୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ମୃତଦେହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ତାହାର ଡିଏନଏ ଟେଷ୍ଟ ହେବ ବୋଲି ବଲାଙ୍ଗୀର ପୋଲିସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ସୋମବାରଠାରୁ ଫେରାର ହୋଇଯାଇଥିବା ବେଳେ ମଙ୍ଗଳବାର ପୋଲିସ ତାଙ୍କ କାର୍‌ ଜବତ କରିଛି।