ମମିତା ମେହେର ହତ୍ୟା ମାମଲା: ସିବିିଆଇ ତଦନ୍ତ ଦାବିକଲେ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା

କଟକ ଅଫିସ,୧୮ା୨: ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ପୋଲିସ ଠିକ୍‌ ଭାବେ ତଦନ୍ତ କରି ନାହିଁ। ଏ ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ହେଉଥିବାରୁ ପୋଲିସ ନିରପେକ୍ଷ ଭାବେ ତଦନ୍ତ କରିପାରିବ ନାହିଁ। ତେଣୁ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବା ଜରୁରୀ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ମହିଳା କମିଶନ(ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଗୁରୁବାର କହିଛନ୍ତି। ଏହି ଘଟଣାରେ ଶର୍ମା ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଭେଟି ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଅପରପକ୍ଷରେ ଏନେଇ କିଛି ମତାମତ ଦେବାକୁ ଡିଜି ବଂଶଲ ମନା କରିଦେଇଛନ୍ତି।

କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ରେ ଗୁରୁବାର ‘ଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ସମ୍ପର୍କରେ ପ୍ରଚଳିତ ଆଇନରେ କିଭଳି ସଂଶୋଧନ ଆବଶ୍ୟକ’ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ଶର୍ମା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମହିଳାଙ୍କ ସୁରକ୍ଷା ପାଇଁ ଥିବା ଆଇନ ଓ ଏହାର ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ସମେତ ଓଡ଼ିଶାର ବହୁ ବୁଦ୍ଧିଜୀବୀ, ବରିଷ୍ଠ ପୋଲିସ ଅଧିକାରୀ, ଏନ୍‌ଜିଓ, ଆଇନଜୀବୀ ଯୋଗ ଦେଇଥିଲେ। ଆଲୋଚନା ଚକ୍ରରେ ମୁଖ୍ୟତଃ ସମାଜରେ ନାରୀମାନଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟ ଉପରେ ଆଲୋଚନା ହୋଇଥିଲା। ମହିଳା କମିଶନ ଅଧ୍ୟକ୍ଷା ଶୁକ୍ରବାର ଏସମ୍ପର୍କରେ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଆଲୋଚନା ଚକ୍ର ପ୍ରାରମ୍ଭରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବେଦ କୁମାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମମିତା ମେହେର ହତ୍ୟା ମାମଲା ସମ୍ପର୍କରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ଯେ, ଡିଜିପି ବଂଶଲ ଏବଂ ରେଖା ଶର୍ମାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ସେ ଗଣମାଧ୍ୟମରୁ ସୂଚନା ପାଇଛନ୍ତି। ତେବେ ସେ ନିଜେ ମମିତା ହତ୍ୟା ମାମଲାରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଘଟଣାର ତଦନ୍ତ ପାଇଁ ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଏସ୍‌ପିଙ୍କ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଚାର୍ଜଶିଟ୍‌ ଦାଖଲ କରାଯାଇଛି ଏବଂ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ସେ ଏବେ ଜେଲରେ ଅଛନ୍ତି।