ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର ତାଙ୍କର କୌଣସି ଇଚ୍ଛା ନାହିଁ। ସେ ଆହୁରି କହିଛନ୍ତି ଯେ, ଭାଜପାକୁ ତଳିତଳାନ୍ତ ନ କରିବା ପର୍ଯ୍ୟନ୍ତ ସେ ଚୁପ୍ ବସିବେ ନାହିଁ। ବଙ୍ଗଳା ବିଧାନସଭା ନିର୍ବାଚନରେ TMCର ପରାଜୟ ପରେ ଦଳ ଭିତରେ ବିଦ୍ରୋହ ଓ ରାଜନୈତିକ ସଙ୍କଟ ଦେଖାଦେଇଥିବା ବେଳେ ମମତାଙ୍କ ଏହି ବୟାନ ସାମ୍ନାକୁ ଆସିଛି।
ମମତା ବାନାର୍ଜୀ ସୋମବାର ଫେସବୁକ ଲାଇଭ୍ରେ କହିଛନ୍ତି, ବଙ୍ଗଳାରେ ସରକାର ପରିବର୍ତ୍ତନ ହେବାର ପ୍ରାୟ ୪ ମାସ ବିତିଗଲାଣି। ଏହି ସମୟ ମଧ୍ୟରେ ଭାଜପାର ପ୍ରକୃତ ଚେହେରା ଜନତାଙ୍କ ସାମ୍ନାକୁ ଆସିଛି। ସେ ଅଭିଯୋଗ କରିଛନ୍ତି ଯେ, ପୋଲିସ ମନଇଚ୍ଛା ମାମଲା ରୁଜୁ କରୁଛି ଏବଂ TMC କର୍ମୀଙ୍କୁ ଦଳର ଅଂଶ ନହେବାକୁ କୁହାଯାଉଛି। ବିନା ପ୍ରମାଣରେ ଲୋକଙ୍କୁ ଗିରଫ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତାଙ୍କୁ ରାଲି ପାଇଁ ଅନୁମତି ଦିଆଯାଉନଥିବାରୁ କୋର୍ଟର ଆଶ୍ରୟ ନେବାକୁ ପଡ଼ୁଛି ବୋଲି ମମତା କହିଛନ୍ତି। ନିର୍ବାଚନରେ ଅନିୟମିତତାର ଅଭିଯୋଗ ଆଣି ମମତା ବାନାର୍ଜୀ ପୁଣିଥରେ SIRକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆବଶ୍ୟକ ପଡ଼ିଲେ ପୁଣି ବିରୋଧ ପ୍ରଦର୍ଶନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ମମତା କହିଛନ୍ତି ଯେ, SIR ମାମଲା ଏବେ ବି ସୁପ୍ରିମକୋର୍ଟରେ ରହିଛି। ନିର୍ବାଚନ କମିଶନଙ୍କ ଯଦି ସାହସ ଅଛି, ତେବେ ଯେଉଁ ନାମଗୁଡ଼ିକ ଉପରେ ନିଷ୍ପତ୍ତି ହୋଇସାରିଛି, ସେଗୁଡ଼ିକୁ ମଧ୍ୟ ସାମିଲ କରିବା ଉଚିତ୍। ଆବଶ୍ୟକ ହେଲେ ଆମେ ବିରୋଧ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି। SIR ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ବେଆଇନ ଭାବେ ହଟାଯାଇଥିବା ମମତା ଅଭିଯୋଗ କରିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି।
ମହିଳାମାନଙ୍କୁ ‘ଅନ୍ନପୂର୍ଣ୍ଣା ଯୋଜନା’ ଅଧୀନରେ ଦିଆଯାଉଥିବା ଆର୍ଥିକ ସହାୟତାରେ ବିଳମ୍ବ ଅଭିଯୋଗକୁ ନେଇ ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅଯୋଗ୍ୟତାର ବାହାନା ଦେଖାଇ ଶୁଭେନ୍ଦୁଙ୍କ ସରକାର ହିତାଧିକାରୀଙ୍କ ସଂଖ୍ୟା କମାଉଛି। ମମତା କହିଛନ୍ତି ଯେ, ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ପାଇଁ ଆମେ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଆରମ୍ଭ କରିଥିଲୁ। କିନ୍ତୁ ଭାଜପା ‘ଅନ୍ନପୂର୍ଣ୍ଣା ଭଣ୍ଡାର’ ପାଇଁ ଟଙ୍କା ଦେବାରେ ଧର୍ମ ଓ ଜାତିକୁ ଆଧାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାଜପା ଦେଇଥିବା ପ୍ରତିଶ୍ରୁତିରୁ ଏବେ ଓହରି ଯାଉଛି। ସମସ୍ତ ମହିଳାଙ୍କୁ ‘ଅନ୍ନପୂର୍ଣ୍ଣା ଯୋଜନା’ର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ଏବେ ମହିଳାମାନଙ୍କୁ ଧୋକା ଦିଆଯାଉଛି ବୋଲି ମମତା କହିଛନ୍ତି।