ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ମମତା କହିଛନ୍ତି ଯେ ଉପନିର୍ବାଚନ ହୋଇନାହିଁ ଏବଂ EVMରେ ହେରଫେର କରାଯାଇଛି । କଲିକତାରେ ଖବରଦାତା ସମ୍ମିଳନୀରେ ମମତା କହିଛନ୍ତି, “ଜ୍ଞାନେଶ କୁମାର କହୁଛନ୍ତି ଯେ କାଉଣ୍ଟିଂରେ ଗଡ଼ବଡ଼ ହେବା ଉଚିତ ନୁହେଁ । ଏମାନେ ତ EVMରେ ହିଁ ଗଡ଼ବଡ଼ କରିଦେଇଛନ୍ତି ।”

ମମତା ଆହୁରି ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ସମୟରେ ପୋଲିସ ଚଢ଼ାଉ କରିବା ସହ ଲୋକଙ୍କୁ ଭୋଟ୍ ଦେବାରୁ ରୋକିଥିଲା। ଏପରିକି କିଛି ଲୋକଙ୍କଠାରୁ ଆଧାର କାର୍ଡ ଛଡ଼ାଇ ନିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ପୋଲିସ ଚଢ଼ାଉ କରିଥିଲା, ପୋଲିସ ହିଁ ବଟନ୍ ଦବାଇଥିଲା। ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଇନଥିଲା, ଆଧାର କାର୍ଡ ଛଡ଼ାଇ ନିଆଯାଇଥିଲା। ସମସ୍ତ ଦଳ ଏପରି କହିଛନ୍ତି । ମୁଁ ନିଜେ ଏସବୁ ଦେଖିନାହିଁ। କୌଣସି ନିର୍ବାଚନ ହୋଇନି।”

ଏହା ସହ ସେ ଭାଜପାର ନିର୍ବାଚନ ପୂର୍ବ ଦାବିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ମମତା କହିଛନ୍ତି, ନିର୍ବାଚନ ପୂର୍ବରୁ ଭାଜପା ନେତାମାନେ କେତେ ଭୋଟରେ ଜିତିବେ ବୋଲି ଆଗୁଆ ଭବିଷ୍ୟବାଣୀ କରୁଥିଲେ । ତାଙ୍କ ଭାଷାରେ ଏହା ‘ଛାପା ଭୋଟ୍’ ଓ ‘ଲୁଟ୍‌ର ଭୋଟ୍’। ନନ୍ଦିଗ୍ରାମ ଓ ରେଜିନଗର ଉଭୟ ହାଇ-ପ୍ରୋଫାଇଲ୍ ଆସନରେ ଅକ୍ଟୋବର ୬ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା। ଅକ୍ଟୋବର ୯ରେ ଭୋଟ୍ ଗଣତି ହେବ।

ଭାଜପା ନନ୍ଦିଗ୍ରାମରେ ପ୍ରାୟ ୫୦ ହଜାର ଭୋଟ୍‌ରେ ଜିତିବ ବୋଲି ଦାବି କରିଛି । ରେଜିନଗରରେ ମଧ୍ୟ ଭାଜପା ବିଜୟୀ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ଉଭୟ ଆସନରେ ଭାଜପା ବିଜୟୀ ହେବ। ନନ୍ଦିଗ୍ରାମରେ ବଡ଼ ବ୍ୟବଧାନରେ ବିଜୟ ମିଳିବ ଏବଂ ରେଜିନଗରରେ ମଧ୍ୟ ବିଜୟ ପାଇଁ ଆବଶ୍ୟକ ଭୋଟ୍ ମିଳିସାରିଛି ବୋଲି ସେ ଦାବି କରିଥିଲେ।ନନ୍ଦିଗ୍ରାମରେ ୭୯.୩୯ ପ୍ରତିଶତ ଏବଂ ରେଜିନଗରରେ ୭୮.୪୨ ପ୍ରତିଶତ ମତଦାନ ହୋଇଛି । ଏବେ ଅକ୍ଟୋବର ୯ର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

 

Dharitri – Odisha’s No.1 Odia Daily

Share