ମାଲକାନଗିରି, ୫।୫ (ଦୁର୍ଯ୍ୟୋଧନ ପାତ୍ର): ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା ଅଭିଯୋଗରେ କୋରାପୁଟ ଭିଜିଲାନ୍ସ ସୋମବାର କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି)ର ମାଲକାନଗିରି ଶାଖା ପରିଚାଳକ ସୁଧାଂଶୁ ଖରାଙ୍କୁ ଗିରଫ କରିଛି। କୋରାପୁଟ ଭିଜିଲାନ୍ସ କେସ୍ ନଂ. ୪ ଓ ୫ ପ୍ରକାରେ ଖରାଙ୍କୁ ସୋମବାର ଗିରଫକରି କୋର୍ଟଚାଲାଣ କରାଯାଇଛି। ଏ ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ମାଲକାନଗିରି ଜିଲାର ୫ଟି ଲ୍ୟାମ୍ପ ପ୍ରାଥମିକ ସମବାୟ ସୋସାଇଟିର ଚାଷୀମାନେ ନେଇଥିବା ୧ କୋଟି ୮ଲକ୍ଷ ୭୫ ହଜାର କୃଷି ଋଣ ଟଙ୍କା ଫେରାଇଥିଲେ। ମାଲକାନଗିରି ଶାଖା ପରିଚାଳକ ଖରା ଏହି ଟଙ୍କା କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖାରେ ଜମା ନ କରି ହଡ଼ପ କରିଥିବା ଜଣାପଡ଼ିଥିଲା। ଗତ ୧୫ ଦିନ ପୂର୍ବେ କେସିସି ବ୍ୟାଙ୍କର ନିର୍ଦ୍ଦେଶକ ଓ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ମାଲକାନଗିରି ଆସି ଏ ସମ୍ବନ୍ଧରେ ତଦନ୍ତ କରିବା ପରେ ପରିଚାଳକ ଖରା ଏହି ଟଙ୍କା ହଡ଼ପ କରିଥିବା ପ୍ରମାଣ ମିଳିଥିଲା।