କୁଆଲାଲମ୍ପୁର,୯ା୧: ଭାରତର ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି. ସିନ୍ଧୁ ମାଲେସିଆ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କି ରେଡ୍ଡୀ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି।
ସିନ୍ଧୁ କ୍ୱାର୍ଟରଫାଇନାଲରେ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିଥିଲେ। ମାତ୍ର ୩ଥର ବିଶ୍ୱ ଚାମ୍ପିୟନ ଜାପାନିଜ ଖେଳାଳି ଆଘାତପ୍ରାପ୍ତ ହେବାରୁ ସେ ମ୍ୟାଚ ଅଧାରୁ ଓହରିଯାଇଥିଲେ। ସେତେବେଳେ ସିନ୍ଧୁ ଓପନିଂ ଗେମ୍ ୨୧-୧୧ରେ ଜିତିସାରିଥିଲେ। ଏହି ବିଜୟ ଦ୍ୱାରା ୟାମାଗୁଚିଙ୍କ ବିପକ୍ଷରେ ବିଶ୍ୱର ୧୮ ନମ୍ୱର ଖେଳାଳି ସିନ୍ଧୁଙ୍କ ହେଡ୍-ଟୁ-ହେଡ୍ ରେକର୍ଡ ୧୫-୧୨କୁ ବୃଦ୍ଧି ପାଇଛି।
ଦୀର୍ଘ ଦିନ ଧରି ଆଘାତଜନିତ ସମସ୍ୟାରେ ଥିବା ସିନ୍ଧୁ ଖେଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଟୁର୍ନାମେଣ୍ଟ। ସେମିଫାଇନାଲରେ ସେ ଦ୍ୱିତୀୟ ସିଡ୍ ତଥା ଚାଇନାର ଓ୍ୱାଙ୍ଗ୍ ଝିଓ୍ୱିଙ୍କୁ ଭେଟିବେ। ଓ୍ୱାଙ୍ଗ ୬ଷ୍ଠ ସିଡ୍ ଇଣ୍ଡୋନେସିଆର ପୁତ୍ରୀ କୁସୁମା ଓ୍ୱାର୍ଦାନୀଙ୍କୁ ୨୧-୧୭, ୨୧-୧୮ରେ ପରାସ୍ତ କରିଛନ୍ତି।
ପରେ ଭାରତର ଦୁଇଥର ବିଶ୍ୱ ଚାମ୍ପିୟନଶପ୍ ବ୍ରୋଞ୍ଜ ପଦକ ବିଜେତା ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ଓ ଚିରାଗ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଇଣ୍ଡୋନେସିଆର ଫଜର ଅଲ୍ଫାଇନ୍ ଓ ମହମ୍ମଦ ଫିକ୍ରିଙ୍କଠାରୁ ୧୦-୨୧, ୨୧-୨୩ରେ ହାରିଯାଇଥିଲେ।


