ଆମେରିକାରେ ମେକ ଇନ ଇଣ୍ଡିଆ ସାଇକେଲ, ଚାଇନା ଉତ୍ପାଦର ସ୍ଥାନ ନେଲା…

ଓ୍ବାଶିଂଟନ,୧୩।୧୨: ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ମେକ ଇନ ଇଣ୍ଡିଆ ପରି ପ୍ରୟାସ ଆରମ୍ଭ କରିଥିଲେ। ଏହାର ପ୍ରଭାବ ବର୍ତ୍ତମାନ ଭାରତ ସମେତ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେଉଛି । ମେକ ଇନ ଇଣ୍ଡିଆ ଉତ୍ପାଦଗୁଡ଼ିକ ଏବେ ଧୀରେ ଧୀରେ ଆମେରିକୀୟ ବଜାରରେ ଚାଇନାର ନିର୍ମିତ ସାମଗ୍ରୀର ସ୍ଥାନ ନେବାରେ ଲାଗିଛି। ଏହି କ୍ରମରେ ଆମେରିକାର ୱାଲମାର୍ଟ ଷ୍ଟୋରରେ ଭାରତରେ ନିର୍ମିତ ଏକ ସାଇକେଲ ଲଞ୍ଚ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ଏନେଇ ଖୁସି ବ୍ୟକ୍ତ କରିଛନ୍ତି।

ସାନ୍ଧୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି, ‘ମେକ ଇନ ଇଣ୍ଡିଆ, ମେକ ଇନ ୱାଲର୍‌ଡ! ଯୁକ୍ତରାଷ୍ଟ୍ରର ୱାଲମାର୍ଟ ଷ୍ଟୋରରେ ପ୍ରଥମ ଥର ପାଇଁ ମେଡ ଇନ ଇଣ୍ଡିଆ ସାଇକେଲ ଲଞ୍ଚ କରି ଥିବାରୁ ମୁଁ ଖୁସି। ସେ ଏହା ମଧ୍ୟ କହିଛନ୍ତି ଏହି ସାଇକେଲ ଭାରତର ଲୁଧିଆନାରେ ଅବସ୍ଥିତ ହିରୋସାଇକେଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଏହାପୂର୍ବରୁ ୱାଲମାର୍ଟ ଘୋଷଣା କରିଥିଲା ଭାରତରେ ନିର୍ମିତ ସାଇକେଲ ପ୍ରଥମ ଥର ପାଇଁ ଆମେରିକାର କିଛି ଷ୍ଟୋରରେ ପହଞ୍ଚିବାକୁ ଯାଉଛି। ଭାରତର ପ୍ରସିଦ୍ଧ ହିରୋ ଇକୋଟେକ ଲିମିଟେଡ ୱାଲମାର୍ଟ ପାଇଁ ଏକ ‘କ୍ରୁଜର ଷ୍ଟାଇଲ’ ବାଇକ ପ୍ରସ୍ତୁତ କରିଛି।

ୱାଲମାର୍ଟ ସହିତ ବ୍ୟବସାୟିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଥିବା ଅନେକ ଭାରତୀୟ ନିର୍ମାତା ମଧ୍ୟରୁ ହିରୋ ଇକୋଟେକ ଲିମିଟେଡ ଅନ୍ୟତମ । ଏହା ୨୦୨୭ ସୁଦ୍ଧା ଭାରତରୁ ବାର୍ଷିକ ୧୦ ବିଲିୟନ ଡଲାରକୁ ସାମଗ୍ରୀ ରପ୍ତାନି ବୃଦ୍ଧି ଲକ୍ଷ୍ୟକୁ ତ୍ୱରାନ୍ବିତ କରିବାରେ କମ୍ପାନୀକୁ ସାହାଯ୍ୟ କରିବ। ସୂଚନାନୁସାରେ, ୱାଲମାର୍ଟ ଆମେରିକାର ଷ୍ଟୋରରେ ବିକ୍ରି ହେଉଥିବା କ୍ରୁଜରଗୁଡ଼ିକ ଭାରତରୁ ୯୦ ପ୍ରତିଶତରୁ ଅଧିକ କଞ୍ଚାମାଲ ସହିତ ପ୍ରସ୍ତୁତ କରାଯାଇଥାଏ।

Share