ଫିକା ପଡ଼ିଲା ମକର

କେନ୍ଦୁଝର/ପାଟଣା, ୧୫ା୧ (ସ୍ବ.ପ୍ର.) କୋଭିଡ୍‌ କଟକଣା ଓ ଅଦିନିଆ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଅନ୍ୟତମ ପ୍ରମୁଖ ପର୍ବ ମକର ଫିକା ପଡ଼ିଯାଇଛି। ବିଭିନ୍ନ ପୀଠ ଓ ଜଳାଶୟ ଖାଁ ଖାଁ ଲାଗିଥିଲା। ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ସମେତ ଅନ୍ୟ ମନ୍ଦିର ବନ୍ଦ ରହିଥିବାରୁ ଲୋକେ ଦେବଦେବୀଙ୍କ ପାଖରେ ପୂଜାର୍ଚ୍ଚନା ଏବଂ ମକର ଚାଉଳ ପୂଜା କରିପାରି ନାହାନ୍ତି। ସେହିପରି ପ୍ରତିକୂଳ ପାଗ ସହ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ନଦୀ ନାଳ, ଜଳାଶୟରେ ମକର ବୁଡ଼ ଦେବାକୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳି ନ ଥିଲା।
ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀ ନଦୀ ସମେତ ଅନ୍ୟାନ୍ୟ ନଦୀନାଳରେ ବିଭିନ୍ନ ସ୍ଥାନରେ ମକର ବୁଡ଼ ପକାଉଥିଲେ। ସେହିପରି ନୂଆ ପୋଷାକ ପିନ୍ଧି ଦେବଦେବୀଙ୍କ ଦର୍ଶନ କରୁଥିଲେ। ବିଭିନ୍ନ ସ୍ଥାନରେ ମକର ମେଳା ବସୁଥିଲା। ୧୧ଦିନ ପର୍ଯ୍ୟନ୍ତ ବିଭିନ୍ନ ପୀଠରେ ମେଳା ଜମୁଥିଲା ଏବଂ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିଲା। ୧୧ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ଘଟଗାଁ ବ୍ଲକ ବାରହାଟିପୁରା ଶୈବପୀଠ ମେଳା ତଥା କେଶରୀକୁଣ୍ଡ, ଭୀମକୁଣ୍ଡ, ରାମତୀର୍ଥ, ଚକ୍ରତୀର୍ଥ, କୁଶଳେଶ୍ୱର ମହାଦେବ, ସୀତାବିଞ୍ଜ, ଧାନବେଣୀ, ଟାଙ୍ଗରବନ୍ତଳା, ଭାଲୁଘର ଆଦି ଦେବଦେବୀ ପୀଠର ମେଳା ସ୍ଥଳୀ ଖାଁ ଖାଁ  ଲାଗୁଛି।
ଦୁଇବର୍ଷ ହେଲା ଜିଲାରେ ମକର ମେଳା ଫିକା ପଡ଼ିଯାଇଥିବା ବେଳେ ଏଥର ଖରାପ ପାଗ ଯୋଗୁ ଲୋକେ ନିରାଶ ହୋଇ ଘରେ ରହି କଟାଇଛନ୍ତି। ସେହିପରି ଏହି ଦିନରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ କୁଡୁମୀ ସମ୍ପ୍ରଦାୟର ଟୁସୁ ମେଳା। ଯଦିଓ ଏହା ପୂର୍ବରୁ ଆରମ୍ଭ ହୋଇଥାଏ, ଏହି ଦିନ ଟୁସୁ ଦେବୀଙ୍କ ମୂର୍ତ୍ତିକୁ ନାଚଗୀତ କରି ବିସର୍ଜନ କରିଥାନ୍ତି। କଟକଣା ପାଇଁ ଚଳିତବର୍ଷ ଟୁସୁ ମେଳା ଓ ପ୍ରତିଯୋଗିତା ବନ୍ଦ ରହିଛି। ନିରାଡ଼ମ୍ବର ଭାବେ କେତେକ ପରମ୍ପରା ବଜାୟ ରଖିବା ପାଇଁ ଏହାକୁ ପାଳନ କରିଛନ୍ତି।