ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ ଥିବା ଆଠ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି; ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ତିନି ଜଣ ପୁରୁଷ ସାମିଲ ଥିଲେ। ସୂଚନା ଅନୁଯାୟୀ, ସମସ୍ତ ମୃତକ ଓଡ଼ିଶାର ବାସିନ୍ଦା ଥିଲେ।
ରିପୋର୍ଟ ଅନୁସାରେ, ଶ୍ରଦ୍ଧାଳୁମାନେ ନାଲଖେଡା ସ୍ଥିତ ମା’ ବଗଲାମୁଖୀ ମନ୍ଦିର ଦର୍ଶନ ପାଇଁ ଉଜ୍ଜୈନରୁ ଏକ ଟ୍ୟାକ୍ସି ଭଡ଼ାରେ ନେଇଥିଲେ। ଦର୍ଶନ ସାରି ଫେରୁଥିବା ସମୟରେ ପ୍ରବଳ ବର୍ଷା ଯୋଗୁ ମନ୍ଦିର ନିକଟସ୍ଥ ଏକ ମୌସୁମୀ ନାଳ ଫୁଲି ଉଠିଥିଲା; ଫଳରେ କାର୍ଟି ସ୍ରୋତର ପ୍ରଖର ବେଗରେ ଫସିଯାଇ ଭାସି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପ୍ରଶାସନିକ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କଠିନ ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ସେହି ଫୁଲିଥିବା ନାଳରୁ କାରଟିକୁ ବାହାର କରିଥିଲେ। ସେତେବେଳକୁ କାରରେ ଥିବା ଆଠ ଜଣ ଯାକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଥିଲା।ମୃତକଙ୍କ ପରିଚୟ ଏବେ ପର୍ଯ୍ୟନ୍ତ ମିଳିନାହିଁ।

