ସମ୍ବଲପୁର,୧୨।୧୧(ପ୍ରମୋଦ ବହିଦାର): ବନ୍ୟପ୍ରାଣୀ ଶିକାର ଓ ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ବରଗଡ଼ ଜିଲା ପୋଲିସ ପକ୍ଷରୁ ଏକ ମିଳିତ ଚଢ଼ାଉ କରାଯାଇ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଗତ ନଭେମ୍ବର ୧୦ ଏବଂ ୧୧ ତାରିଖ ଦୁଇ ଦିନ ଧରି ପ୍ରାୟ ୭୦ ଜଣ ସଶସ୍ତ୍ର ବନ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କୁ ନେଇ ଅଭୟାରଣ୍ୟ ସୀମାନ୍ତବର୍ତ୍ତୀ ୫ଟି ସମ୍ବେଦନଶୀଳ ଗ୍ରାମରେ ବ୍ୟାପକ ତଲାସୀ ଅଭିଯାନ ଚଳାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଭାବନାକୁ ସମ୍ମାନ ଜଣାଇ ଏବଂ ପ୍ରତିଶୋଧମୂଳକ ଶିକାର ଆଶଙ୍କାକୁ ଏଡ଼ାଇବା ପାଇଁ ଉକ୍ତ ଗ୍ରାମଗୁଡ଼ିକର ନାମ ଗୋପନ ରଖାଯାଇଛି।
ଏହି ଅଭିଯାନ ସମୟରେ ବରଗଡ଼ ଜିଲା ଅନ୍ତର୍ଗତ ଡେବ୍ରିଗଡ଼ ସୀମାନ୍ତ ରାଉତପଡ଼ା ଗ୍ରାମର ଘନଶ୍ୟାମ ମିର୍ଦ୍ଧା (୪୦) ଏବଂ ସୁପ୍ରସାଦ ସୁଇ (୪୮)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ୍ୟପ୍ରାଣୀ ଧରିବା ପାଇଁ ବ୍ୟବହୃତ ଫାଶ, ଯନ୍ତା, ୩ କିଲୋଗ୍ରାମ ବିଦ୍ୟୁତ୍ ହୁକିଂ ତାର, ୨ କିଲୋଗ୍ରାମ କେବୁଲ ତାର ଏବଂ ଦୁଇ ବଣ୍ଡଲ ଶିକାର ଜାଲ ଜବତ କରାଯାଇଛି, ଯାହା ବନ୍ୟପ୍ରାଣୀଙ୍କ ପ୍ରତି ବିଦ୍ୟୁତ୍ ଆଘାତ ଭଳି ଗମ୍ଭୀର ବିପଦ ସୃଷ୍ଟି କରିଥାଏ। ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି ଯେ, ଗିରଫ ଶିକାରୀମାନେ କଲରାପତରିଆ ବାଘ ଶିକାର କରିବା ପାଇଁ ଯୋଜନା କରି ଅଭୟାରଣ୍ୟ ମଧ୍ୟରେ ଫାଶ ବିଛାଇଥିଲେ। ଲଖନପୁର ରେଞ୍ଜ ଅନ୍ତର୍ଗତ ଡେବ୍ରିଗଡ଼ କର୍ତ୍ତୃପକ୍ଷ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବା ପରେ ନଭେମ୍ବର ୧୧ ତାରିଖରେ କୋର୍ଟଚାଲାଣ କରିଛନ୍ତି।
ଅନ୍ୟପକ୍ଷରେ, ଶିକାର ସମ୍ପର୍କିତ ନିର୍ଭରଯୋଗ୍ୟ ସୂଚନା ପ୍ରଦାନକାରୀଙ୍କ ପାଇଁ ଡେବ୍ରିଗଡ଼ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଛି। ଶିକାରୀମାନେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଥିବାରୁ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଅଭୟାରଣ୍ୟ ସୀମାରେ ମେଟାଲ ଡିଟେକ୍ଟର ଏବଂ ଲାଇଭୱାୟାର ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି। ସାମ୍ପ୍ରତିକ ଟ୍ରାକିଂ ଜରିଆରେ ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଥିବାରୁ ବନ ବିଭାଗ, ପୋଲିସ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମନ୍ୱୟରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଓ ପାଟ୍ରୋଲିଂ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।