ଭଞ୍ଜପୁର ପୋଲିସକୁ ବଡ଼ ସଫଳତା: କାର୍‌ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ବାରିପଦା, ୩/୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌କୁ ଅଟକାଇ ପୋଲିସ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ, ନଗଦ ଲକ୍ଷାଧିକ ଟଙ୍କା ଏବଂ ଚାଲାଣରେ ବ୍ୟବହୃତ ଏକ ଦାମୀ କାର୍‌ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପୋଷି କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ଦେଇ ଏକ କାର୍‌ରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଚାଲାଣ ହେଉଥିବା ନେଇ ଭଞ୍ଜପୁର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନା ପାଇ ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ନାକାବନ୍ଦୀ କରି ଯାନବାହନ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ସନ୍ଦିଗ୍ଧ କିଆ ସେଲଟସ୍‌ କାର୍‌କୁ ଅଟକାଇ ତଲାସି କରିବାରୁ ଗାଡ଼ି ଭିତରୁ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମିଳିଥିଲା।

ପୋଲିସ ଗାଡ଼ିରେ ଥିବା ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବା ସହ ଘଟଣାସ୍ଥଳରୁ ଗଞ୍ଜେଇ, ନଗଦ ଲକ୍ଷାଧିକ ଟଙ୍କା ଓ କାର୍‌ଟିକୁ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି। ଏହି ଗଞ୍ଜେଇ କେଉଁଠାରୁ ଆସି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଏବଂ ଏହି ରାକେଟ୍‌ ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share