ଛତ୍ରପୁର,୨୯ା୫(ଦିଲ୍ଲୀପ ସାମଲ): ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ବା ମନରେଗାକୁ ନେଇ ପୁଣି ସାମ୍ନାକୁ ଆସିଛି ବଡ଼ ଅଭିଯୋଗ। ବର୍ଷେ କାଳ ପରିଶ୍ରମ କରି ମଧ୍ୟ ଗରିବ ଶ୍ରମିକଙ୍କୁ ମିଳୁନି ତାଙ୍କ ହକ୍ର ପାଉଣା। ଦିନ ମଜୁରିଆଙ୍କ ପେଟକୁ ଲାତ ମାରିଛନ୍ତି ସରକାରୀ ବାବୁ। ବ୍ଲକଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ନ୍ୟାୟ ଆଶାରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଶତାଧିକ ମହିଳା ଓ ପୁରୁଷ ଶ୍ରମିକ।
ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମୁରଡ଼ା ପଞ୍ଚାୟତର କିଛି ଶ୍ରମିକ ଗତ ବର୍ଷ ଅର୍ଥାତ୍ ୨୦୨୫ ଫେବୃଆରୀରେ ଗାଁର ଦୁଇଟି ପୋଖରୀ ଯାହାକି ଝୁଡ଼ିଆ ବନ୍ଧ ଓ ଗଡ଼ଗଡ଼ିଆ ବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୭୦ ଜଣରୁ ଅଧିକ ମହିଳା ଓ ପୁରୁଷ ଶ୍ରମିକ ନିୟୋଜିତ ହୋଇଥିଲେ। ଦୀର୍ଘ ୭୫ ଦିନ କାଳ ରକ୍ତକୁ ପାଣି କରି ଏହି ଶ୍ରମିକମାନେ କାମ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନଙ୍କ ବକେୟା ମଜୁରୀ ଟଙ୍କା ମିଳିନାହିଁ। ଏହି ବଡ଼ ଅବହେଳା ବିଷୟରେ ଗ୍ରାମବାସୀ ବ୍ଲକର କନିଷ୍ଠ ଯନ୍ତ୍ରୀ (JE), ସହକାରୀ ଯନ୍ତ୍ରୀ (AE) ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO)ଙ୍କୁ ବାରମ୍ବାର ଗୁହାରି କରିଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା, ବାଧ୍ୟ ହୋଇ ଆଜି ସେମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯଦି ତୁରନ୍ତ ସେମାନଙ୍କ ପ୍ରାପ୍ୟ ନ ମିଳେ, ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।