ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ନିମ୍ନମାନର ଛତୁଆ ବଣ୍ଟନର ବିଧିବଦ୍ଧ ତଦନ୍ତ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହିଳାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ତେବେ ଏ ନେଇ ଡିଏସ୍‌ଡବ୍ଲୁଓଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଏହାର ତଦନ୍ତ କରିବ ଏବଂ ତଦନ୍ତ ରିପୋର୍ଟ ମିଳିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ସାହୁ କହିଛନ୍ତି।

ସୂଚନା ଅନୁଯାୟୀ, ସରକାର ପୋଷଣ ଯୋଜନାରେ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ଛତୁଆ ପ୍ରଦାନ କରି ଆସିଛନ୍ତି। ବିଭିନ୍ନ ସଂସ୍ଥାକୁ ଏହାର ବଣ୍ଟନ ଦାୟିତ୍ୱ ଦିଆଯାଇଛି। ତେବେ ବରଗଡ଼ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ବଣ୍ଟନ କରାଯାଉଥିବା ଛତୁଆ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ସେଥିରୁ ପୋକ, ଗୋଡ଼ି ଆଦି ବାହାରୁଥିବା ଅଭିଯୋଗ ହୋଇଛି। ଫଳରେ ତାହା ବ୍ୟବହାର ଅନୁପଯୋଗୀ ହେବା ସହିତ ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ ହୋଇ ପଡ଼ିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ସ୍ଥାନୀୟ ୱାର୍ଡ଼ ନଂ-୨, ୱାର୍ଡ଼ ନଂ-୧୯ ସମେତ ବିଭିନ୍ନ ୱାର୍ଡ଼ର ଅନେକ ମହିଳା ଜିଲାପାଳଙ୍କୁ ଫେରାଦ ହୋଇଥିଲେ।

Dharitri – Odisha’s No.1 Odia Daily

Share