ଉଦଳାରେ ଇଡିର ବଡ଼ଧରଣର ଚଢ଼ାଉ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଟ୍ରେଡିଂ କମ୍ପାନୀ ମୁଖ୍ୟଙ୍କ ଘରେ ଯାଞ୍ଚ

ଉଦଳା, ୪।୧୧(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ କରିଛି। କଲିକତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ସାଜି କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବିଶୋଳ ଗ୍ରାମର ଈଶ୍ୱର ବିନ୍ଧାଣୀଙ୍କ ବାସଭବନରେ ଏହି ଚଢ଼ାଉ ଜାରି ରହିଛି।

ସୂଚନା ଅନୁସାରେ, ଆଜି ଭୋର ସମୟରୁ ଇଡିର ୩ ଜଣିଆ ଅଧିକାରୀଙ୍କ ସହ ୨ ଜଣ ବ୍ୟାଙ୍କ ଅଧିକାରୀ ଏବଂ ସ୍ଥାନୀୟ ପୋଲିସର ଏକ ସୁରକ୍ଷା ବାହିନୀ ସହିତ ଈଶ୍ୱରଙ୍କ ଘରେ ପହଞ୍ଚିଥିଲେ। ଈଶ୍ୱର ବିନ୍ଧାଣୀ କଲିକତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଭାବେ କାର୍ଯ୍ୟ କରି ମୟୂରଭଞ୍ଜ, କଟକ, ଭୁବନେଶ୍ୱର, ଜଗତସିଂହପୁର ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳର ସାଧାରଣ ଲୋକଙ୍କୁ ମାଲାମାଲ କରିବାର ପ୍ରଲୋଭନ ଦେଇ ପ୍ରାୟ ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

ଏହି ସଂକ୍ରାନ୍ତରେ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ଆର୍ଥିକ ହେରଫେରର ମୂଳ ଖୋଜିବା ପାଇଁ ଇଡି ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚଢ଼ାଉ ସମୟରେ ଖୋଦ୍ ଅଭିଯୁକ୍ତ ଈଶ୍ୱର ବିନ୍ଧାଣୀ ଘରେ ଉପସ୍ଥିତ ଅଛନ୍ତି। ଇଡି ଟିମ୍‌ ତାଙ୍କର ବ୍ୟାଙ୍କ ଖାତା, ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର ଏବଂ ଆର୍ଥିକ କାରବାରର ବିଭିନ୍ନ ନଥିପତ୍ର ଗ୍ରହଣ କରି ତଦନ୍ତ ଚଳାଇଛନ୍ତି। ତଦନ୍ତ ଶେଷ ହେବା ପରେ ଏହି ଠକେଇର ଅସଲ ପରିମାଣ ଓ ଲିଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

Share