ସେନ୍ଝେନ୍,୧୮ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ତ୍ରିପାକ୍ଷିକ ଆଲୋଚନାର ଦିନକ ପୂର୍ବରୁ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ପାଶ୍ଚାତ୍ୟ ସଂରକ୍ଷଣବାଦ ଓ କଟକଣାକୁ ବିରୋଧ କରିଛନ୍ତି। ବାଣିଜ୍ୟରେ ସଂରକ୍ଷଣବାଦକୁ ବିରୋଧ କରିବେ ବୋଲି ଜିନ୍ପିଙ୍ଗ୍ ବୁଧବାର ସଂକଳ୍ପ ନେବା ସହ ବାଣିଜ୍ୟ କ୍ଷେତ୍ରରେ ବୈଶ୍ୱିକ ସହଯୋଗ ବଢ଼ାଇବା ପାଇଁ ଆହ୍ବାନ ଦେଇଛନ୍ତି। ସେହିପରି ପୁଟିନ୍ ପାଶ୍ଚାତ୍ୟ ପ୍ରତିବନ୍ଧକକୁ ସମାଲୋଚନା କରିଛନ୍ତି।
ଚାଇନାର ଶେନଝେନ୍ଠାରେ ଅନୁଷ୍ଠିତ ଏସିଆ ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ (ଏପିଇସି) ସମ୍ମିଳନୀରେ ଉଦ୍ବୋଧନ ଦେଇ ମୁକ୍ତ ଓ ଅବାଧ ବାଣିଜ୍ୟକୁ ସମର୍ଥନ କରିବାକୁ ଜିନ୍ପିଙ୍ଗ୍ ଅନ୍ୟ ସଦସ୍ୟ ଦେଶଗୁଡ଼ିକୁ ଆହ୍ବାନ ଦେଇଥିଲେ।
ଟ୍ରମ୍ପ୍ ପ୍ରଶାସନ ସମୟରେ ଆମେରିକା ସହ ଉତ୍ତେଜନା ବଢ଼ିଥିବା ବେଳେ ଜିନ୍ପିଙ୍ଗ୍ଙ୍କ ବକ୍ତବ୍ୟର ଉଦ୍ଦେଶ୍ୟ ଚାଇନାକୁ ଏକ ନିର୍ଭର ଯୋଗ୍ୟ ଓ ସ୍ଥିର ଅର୍ଥନୈତିକ ସହଯୋଗୀ ଭାବେ ଉପସ୍ଥାପନ କଲା ଭଳି ମନେ ହୋଇଥିଲା। ଏନ୍ଭିଡିଆ ଭଳି କମ୍ପାନୀର ଅତ୍ୟାଧୁନିକ କୃତ୍ରିମ ବୁଦ୍ଧମତ୍ତା (ଏଆଇ) ଚିପ୍ ଯୋଗାଣ ଉପରେ ଓ୍ବାଶିଂଟନ ଅତିରିକ୍ତ କଟକଣା ଘୋଷଣା କରିବା ପରେ ଜିନ୍ପିଙ୍ଗ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆମେରିକାର ସଦ୍ୟ କଟକଣାର ଜବାବ ଦେବାକୁ ଚାଇନା ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

