ଦିଗପହଣ୍ଡି,୧୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତବର୍ତ୍ତୀ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ବେଆଇନ ଦେଶୀ ମଦ କାରବାର ବିରୋଧରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ବଡ଼ ଧରଣର ମିଳିତ ଚଢ଼ାଉ କରାଯାଇଛି। ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୬ଟା ସମୟରେ ସଅଁଢେପ, ଗୋଠକେଳି, ଅନ୍ଧାରୁଆ, ବାଦପୁର, ବଟପଲ୍ଲୀ ଏବଂ ଜୁଆଣପଲ୍ଲୀ ପ୍ରଭୃତି ଗ୍ରାମ ସଂଲଗ୍ନ ଜଙ୍ଗଲରେ ଏହି ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଚୋରା ମଦ କାରଖାନାକୁ ଭଙ୍ଗାଯିବା ସହ ଘଟଣାସ୍ଥଳରେ ପ୍ରାୟ ୧୦ ହଜାର ୨ ଶହ ଲିଟର ଗୁଡ଼ମିଶ୍ରିତ ମହୁଆ ପୋଚ ନଷ୍ଟ କରାଯାଇଛି।
ଚଢ଼ାଉ ବେଳେ ୫୨୦ ଲିଟର ରନ୍ଧା ଦେଶୀ ମଦ ସମେତ ମଦରନ୍ଧା ସରଞ୍ଜାମ, ବହୁ ସଂଖ୍ୟକ ଡେକଚି ଏବଂ ପ୍ଲାଷ୍ଟିକ ଡ୍ରମ୍ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ୧୫୩/୨୬-୨୭ ଏବଂ ୧୫୪/୨୬-୨୭ ନମ୍ବରରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଦିଗପହଣ୍ଡି ଅବକାରୀ ଥାନା ଅଧିକାରିଣୀ ସସ୍ମିତା ମଲ୍ଲିକ ସୂଚନା ଦେଇଛନ୍ତି।
ଏହି ମିଳିତ ଧରପଗଡ଼ ଅଭିଯାନରେ ପାଟପୁର ଥାନା ଏଏସ୍ଆଇ କୃଷ୍ଣଚନ୍ଦ୍ର ଦାସ, ପୋଡ଼ାମାରି ଫାଣ୍ଡି ପୋଲିସ ଟିମ୍, ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର କର୍ମଚାରୀବୃନ୍ଦ, ଦିଗପହଣ୍ଡି ଅବକାରୀ ଏଏସ୍ଆଇ ଏନ୍. ତ୍ରିପତି ଏବଂ କନେଷ୍ଟବଳ ରାଜେଶ ଜେନା ପ୍ରମୁଖ ସାମିଲ ହୋଇଥିଲେ।