Categories: ରାଜ୍ୟ

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନରେ ସ୍ବତନ୍ତ୍ର ସଚିବ ଥିବା ବରିଷ୍ଠ ଓଏଏସ୍‌ ରଘୁରାମ ଆୟାରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କୁ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି। ଆୟାରଙ୍କ ସମେତ ମୋଟ ୧୩ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ରେଜିଷ୍ଟ୍ରାର ଓଏଏସ୍‌ ସୁଦାମ ଚରଣ ମଣ୍ଡଳଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ(କେଭିଆଇ) ଭାବେ ବଦଳି କରାଯାଇଛି। ସେହିପରି ପାରାଦୀପ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରେନ୍ଦ୍ର କୁମାର ରାଉତରାୟଙ୍କୁ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ପାରାଦୀପର ଅତିରିକ୍ତ ଜିଲାପାଳ କାହ୍ନୁ ଚରଣ ଧୀରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାରାଦୀପ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁଙ୍କୁ ଖୋର୍ଦ୍ଧାର ଅତିରିକ୍ତ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ହିନ୍ଦୋଳ ଉପଜିଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଢେଙ୍କାନାଳ ଜିଲା ଅତିରିକ୍ତ ଜିଲାପାଳ ଭାବେ ବଦଳି କରାଯାଇଛି। ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ପୂଜା ମିଶ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଯୁଗ୍ମ ସଚିବ, ନରେଶ ଚନ୍ଦ୍ର ଶବରଙ୍କୁ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଶିବାନନ୍ଦ ସ୍ବାଇଁଙ୍କୁ ହିନ୍ଦୋଳ ଉପଜିଲାପାଳ, ବରଣ୍ୟେନ୍ଦୁ ମହାନ୍ତିଙ୍କୁ ଇଡ୍‌କୋ ଲ୍ୟାଣ୍ଡ ଅଫିସର, ବୀରେନ୍ଦ୍ର କୁମାର ଦାସଙ୍କୁ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଭୂମି ଅଧିଗ୍ରହଣ ଅଫିସର ଓ ପ୍ରିୟବ୍ରତ ପାଢୀଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।