ଭୁବନେଶ୍ୱର, ୨୭।୬: ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ ଭୀମସେନ ଟୁଡୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭୀମସେନ ଟୁଡୁଙ୍କୁ ସରକାରୀ ସେବାରୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରହିଥିବା ଏବଂ ପ୍ରଯୁଜ୍ୟ ସରକାରୀ ସେବା ନିୟମାବଳୀ ଅନୁଯାୟୀ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଭୀମସେନ ଟୁଡୁ କେବଳ ବର୍ତ୍ତମାନର ସରକାରୀ ଚାକିରିରୁ ବହିଷ୍କୃତ ହୋଇନାହାନ୍ତି, ବରଂ ଭବିଷ୍ୟତରେ ମଧ୍ୟ ସେ ଆଉ କୌଣସି ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।
ଚନ୍ଦ୍ରିକା ମୃତ୍ୟୁ ମାମଲାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ସରକାରଙ୍କ ଏହି ପଦକ୍ଷେପକୁ ଏକ କଠୋର ବାର୍ତ୍ତା ଭାବେ ଦେଖାଯାଉଛି। ଆଇନ ଅନୁଯାୟୀ ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟା ପୂର୍ବବତ୍ ଜାରି ରହିବ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ବିରୋଧରେ ଗୁରୁତର ଅପରାଧିକ ଅଭିଯୋଗରେ ଆଇନ ଅନୁଯାୟୀ କୌଣସି ପ୍ରକାର କୋହଳ କରାଯିବ ନାହିଁ ଏବଂ ଦୋଷୀଙ୍କ ବିରୋଧରେ ନିୟମାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ।