ବେଲଗୁଣ୍ଠା, ୨୩ା୭(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଡ୍ରାଇଭରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବସରେ ଥିବା ୨୦ ଜଣ ଯାତ୍ରୀ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ରୁଟ୍ ନମ୍ବର ୧୯ ର ମୁଖ୍ୟମନ୍ତ୍ରୀ ବସ (ନମ୍ବର: ଓଡି୩୨ଜେ୭୪୮୨) ବେଲଗୁଣ୍ଠାରୁ ବାହାରି ମଙ୍ଗଳପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଯଥା ମହାସିଙ୍ଗିପଲ୍ଲୀ, ଆମ୍ବପୁଆ, ଜିରୋଳି, ବଙ୍କା, ଜାଲଖାଇ, ଗୋଠୁଳି, ପାଟୁଳି ସାହି, ଗଜିନ୍ଦ୍ରା, ଏକତାଳ, ଅଢ଼େଇ ଗାଁ ଛକ ଏବଂ ଉଢୁରା ଦେଇ ପୁଣି ବେଲଗୁଣ୍ଠା ଅଭିମୁଖେ ଫେରୁଥିଲା।
ଆଜି ସକାଳ ପ୍ରାୟ ୧୦ଟା ସମୟରେ ବସଟି ଉଢୁରା ଛକ ନିକଟରେ ପହଞ୍ଚିବା ପରେ ଇଞ୍ଜିନରୁ ହଠାତ୍ ପ୍ରବଳ ଧୂଆଁ ବାହାରୁଥିବା ଡ୍ରାଇଭର ରାଜ ନାରାୟଣ ଦୋରାଙ୍କ ନଜରକୁ ଆସିଥିଲା। ପରିସ୍ଥିତିର ଗମ୍ଭୀରତାକୁ ବୁଝି ସେ ତୁରନ୍ତ ବସଟିକୁ ରାସ୍ତା କଡ଼ରେ ଅଟକାଇ ଦେଇଥିଲେ। ଗାଡ଼ିରୁ ଓହ୍ଲାଇ ଯାଞ୍ଚ କରିବାରୁ ସର୍ଟ ସର୍କିଟ୍ ଯୋଗୁ ଇଞ୍ଜିନରୁ ପ୍ରବଳ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।
ବିପଦର ଆକଳନ କରି ଡ୍ରାଇଭର ବିନା ବିଳମ୍ବରେ ବସରେ ଥିବା ସମସ୍ତ ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଦେଇଥିଲେ। ତାଙ୍କର ଏହି ସାହସିକ ପଦକ୍ଷେପ ଯୋଗୁ ଏକ ବଡ଼ ଧରଣର ଅଘଟଣ ଓ ଧନଜୀବନ ହାନି ଟଳିଯାଇଛି।
ଡ୍ରାଇଭରଙ୍କ ଏହି ଉପସ୍ଥିତ ବୁଦ୍ଧି ଓ ଚତୁରତା ପାଇଁ ଯାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ଓ ସାଧୁବାଦ ଜଣାଇଛନ୍ତି। ତେବେ ଗାଡ଼ିର ରକ୍ଷଣାବେକ୍ଷଣ ଓ ସମୟୋଚିତ ଯାଞ୍ଚ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ମଧ୍ୟ ଆଲୋଚନା ହେଉଛି ।