କ୍ଷତି ସହୁଛନ୍ତି ମକା ଚାଷୀ

ଚମ୍ପୁଆ,୭।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମ ମକା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଗୋଧୂଳି ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଧାନ ଚାଷ ଅପେକ୍ଷା ମକା ଚାଷକୁ ଏଠାକାର ଲୋକ ଗୁରୁତ୍ୱ ଦେଇଥାନ୍ତି। ଅନ୍ୟପକ୍ଷରେ ଏହି ଅଞ୍ଚଳର ଚାଷ ଜମିଗୁଡିକ ଢିପ ହୋଇଥିବାରୁ ଧାନ ଅପେକ୍ଷା ମକା ଅଧିକ ଅମଳ ହୋଇଥାଏ। ମାତ୍ର ଚଳିତ ବର୍ଷ ମକା ଚାଷରେ ପୋକ ଲାଗିବା ଓ ଶୁଆମାନଙ୍କ ଦ୍ୱାରା ମକା ଫସଲ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଅଭାବରୁ ମକା ଅମଳ ସେତେଟା ସନ୍ତୁଷ୍ଟଜନକ ହୋଇ ନଥିବା ବେଳେ ଉପରୋକ୍ତ ଦୁଇ କାରଣ ପାଇଁ ଚାଷୀ ଏଥର କ୍ଷତି ସହିଥିବା ସୂଚନା ମିଳିଛି।
ମକା ଚାଷ ଦ୍ୱାରା ଏଠାକାର ଚାଷୀ ବେଶ୍‌ ସ୍ବାବଲମ୍ବୀ ହୋଇପାରିଥିବା ବେଳେ ଚାଷୀମାନେ ଉନ୍ନତ ବିହନ ଓ ସାର ପ୍ରୟୋଗ କରି ଚଳିତ ବର୍ଷ ମକା ଲଗାଇଥିଲେ। ମାାତ୍ର ମକା ଗଛରେ ଫଳ ହେବା ପରେ ଠିକ ଅମଳ ସମୟରେ ମକା ଫସଲରେ ପୋକ ଲାଗିଯିବାରୁ ବହୁତଗୁଡ଼ିଏ ମକା ନଷ୍ଟ ହୋଇଯାଇଥିବା ବେଳେ ମକା ଫସଲର ବଇରୀ ସାଜିଥିବା ଶୁଆ ଚାଷୀଙ୍କ ସ୍ବପ୍ନକୁ ଧୂଳିସାତ କରିଦେଲାଣି। ପଲ ପଲ ଶୁଆ ମକା ଫଳକୁ ଅଧା ଖଣ୍ଡିଆ କରି ଦେଉଥିବାରୁ ଏହା ବିକ୍ରି ଯୋଗ୍ୟ ହୋଇ ପାାରୁନାହିଁ। ଫଳରେ ଗୋଧୂଳି ଅଞ୍ଚଳର ମକା ଯୋଡ଼ା, ବଡବିଲ ଓ ଝାଡଖଣ୍ଡ ରାଜ୍ୟକୁ ରପ୍ତାନୀ ଚଳିତ ବର୍ଷ କମିଯାଇଥିବା ଦେଖାଦେଇଛି। ଚାଷୀ କାଳୀରଚରଣ ନାୟକ କହିଛନ୍ତି, ମେଘୁଆ ପାଗ ହେଲେ ଶୁଆମାନେ ଶହଶହ ସଂଖ୍ୟାରେ ମକା ଫସଲ ଉପରେ ଆକ୍ରମଣ କରୁଥିବା ବେଳେ ନିଜ ଫସଲର ସୁରକ୍ଷା ପାଇଁ ଜମି ମଧ୍ୟରେ ମଞ୍ଚା କରି ଏହି ଶୁଆପକ୍ଷୀଙ୍କୁ ଘଉଡ଼ାଉଛନ୍ତି। ଏହି ଚାଷରୁ ଯାହା ଆୟ ହୁଏ ସେଥିରେ ବର୍ଷତମାମ ପରିବାର ଚଳିଥାଏ। କିନ୍ତୁ ଚଳିତବର୍ଷ କ୍ଷତି ଘଟିଥିବା କହି ଚାଷୀ ଛତ୍ରପତି ନାୟକ ଦୁଃଖ ପ୍ରକାଶ କରିଛନ୍ତି।