୧୬.୨ କୋଟିରେ ବିକ୍ରି ହେଲା ମହାତ୍ମା ଗାନ୍ଧୀଙ୍କ ହାତଲେଖା ପାଣ୍ଡୁଲିପି

ନୂଆଦିଲ୍ଲୀ,୨୧।୮(ପି.ଟି.): ସାଫ୍ରୋନ୍‌ଆର୍ଟ ନିଲାମୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିଲାମୀରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଲିଖିତ ୬୮୮ଟି ଆତ୍ମଚିନ୍ତନ ଓ ବିଚାର ସମ୍ପର୍କିତ ପାଣ୍ଡୁଲିପି ୧୬ କୋଟି ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ନିଲାମୀ ମାଧ୍ୟମରେ ବିକ୍ରି ହୋଇଥିବା ଭାରତୀୟ ଐତିହାସିକ ଦଲିଲ ମଧ୍ୟରୁ ଏହା ବିଶ୍ୱର ସବୁଠାରୁ ମୂଲ୍ୟବାନ ଦସ୍ତାବିଜ୍‌ର ମାନ୍ୟତା ପାଇଛି। ଏହି ହାତଲେଖାଗୁଡ଼ିକ ଗାନ୍ଧିଜୀଙ୍କ ନିକଟତର ସହଯୋଗୀ ତଥା ସ୍ବାଧୀନତା ସଂଗ୍ରାମୀ ଆନନ୍ଦ ଟି. ହିଙ୍ଗୋରାଣୀଙ୍କ ପାଇଁ ଲିଖିତ ହୋଇଥିଲା। ହିଙ୍ଗୋରାଣୀଙ୍କ ସ୍ତ୍ରୀ ବିଦ୍ୟାଙ୍କ ବିୟୋଗ ପରେ ୨ ବର୍ଷ ଧରି ଗାନ୍ଧିଜୀ ତାଙ୍କୁ ମାର୍ଗଦର୍ଶନ, ସାନ୍ତ୍ୱନା ଓ ଉତ୍ସାହ ଯୋଗାଇବା ପାଇଁ ପ୍ରତିଦିନ ଏହି ବାର୍ତ୍ତାଗୁଡ଼ିକ ଲେଖୁଥିଲେ। ପରବର୍ତ୍ତୀ ସମୟରେ ଏହାକୁ ‘ଏ ଥଟ୍‌ ଫର୍‌ ଦି ଡେ’ ନାମକ ପୁସ୍ତକରେ ସଂକଳିତ କରାଯାଇଥିଲା।
‘ଗାନ୍ଧୀ: ଆନନ୍ଦ ଟି. ହିଙ୍ଗୋରାଣୀଙ୍କ ସଂଗ୍ରହରୁ’ ଶୀର୍ଷକ ଏହି ନିଲାମୀରେ ଗାନ୍ଧିଜୀଙ୍କ ସହ ଜଡ଼ିତ ଚିଠି, ପାଣ୍ଡୁଲିପି, ଫଟୋଚିତ୍ର ଏବଂ ବ୍ୟକ୍ତିଗତ ସାମଗ୍ରୀକୁ ନେଇ ମୋଟ ୮୬ଟି ବିଭାଗ ସାମିଲ ହୋଇଥିଲା। ୧୬.୨୦ କୋଟି ଟଙ୍କାରେ ବିକ୍ରି ହୋଇଥିବା ପାଣ୍ଡୁଲିପିରେ ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ, ନିର୍ଭୀକତା, ସର୍ବଧର୍ମ ସମଭାବ, ଅସ୍ପୃଶ୍ୟତା ନିବାରଣ, ପ୍ରାର୍ଥନା, ରାମନାମ, ସେବା, ସ୍ବରାଜ, ନୈତିକ ଦାୟିତ୍ୱ ଏବଂ ଆତ୍ମସାକ୍ଷାତ୍‌କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଗାନ୍ଧିଜୀଙ୍କ ଗଭୀର ଚିନ୍ତନ ରହିଛି। ଈଶ୍ୱର ଏବଂ ଶ୍ରୀମଦ୍‌ ଭଗବଦ ଗୀତା ସମ୍ପର୍କିତ ଗାନ୍ଧିଜୀଙ୍କ ଲିଖିତ ୩ଟି ଚିଠି ଓ ପାଣ୍ଡୁଲିପିର ସେଟ୍‌ ‘ମେସେଜ ଅନ୍‌ ଗଡ୍‌’ ୧.୬୮ କୋଟି ଟଙ୍କାରେ ବିକ୍ରି ହୋଇଛି। ଗାନ୍ଧିଜୀ ବ୍ୟବହାର କରୁଥିବା ବ୍ୟକ୍ତିଗତ ‘ପେଟି ଚରଖା’ ଏବଂ ସୂତାକଟାର ଆଧ୍ୟାତ୍ମିକ ନିୟମାବଳୀ ସମ୍ପର୍କିତ ଦୁଇଟି ଚିଠି ୧.୦୨ କୋଟି ଟଙ୍କାରେ ନିଲାମ ହୋଇଛି। ଲେଖୁଥିବା ସମୟର ଗାନ୍ଧିଜୀଙ୍କ ଏକ ଫଟୋ ୭୮ ଲକ୍ଷ ଟଙ୍କାରେ ଏବଂ ଅର୍ଥନୈତିକ ସ୍ବାଧୀନତା ଉପରେ ଆଧାରିତ ଚିଠି, ଟେଲିଗ୍ରାମ ଓ ପୋଷ୍ଟକାର୍ଡର ସେଟ୍‌ ୫୭.୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ସାଫ୍ରୋନ୍‌ଆର୍ଟର ସହ-ସଂସ୍ଥାପକ ଦିନେଶ ବଜୀରାନୀ କହିଛନ୍ତି, ଗାନ୍ଧିଜୀ ନିଜର ବ୍ୟକ୍ତିଗତ ଜୀବନରେ କିପରି ସାର୍ବଜନୀନ ନୀତିଗୁଡ଼ିକୁ ପାଳନ କରୁଥିଲେ, ତାହାର ନିଖୁଣ ପ୍ରତିଫଳନ ଏହି ପାଣ୍ଡୁଲିପିଗୁଡ଼ିକରେ ଦେଖିବାକୁ ମିଳେ। ହିଙ୍ଗୋରାଣୀ ପରିବାର ଦ୍ୱାରା ସୁରକ୍ଷିତ ରଖାଯାଇଥିବା ଏହି ଅଭିଲେଖ ସ୍ବାଧୀନତା ସଂଗ୍ରାମ ସହ ଦୁଇ ମହାନ୍‌ ବ୍ୟକ୍ତିଙ୍କ ମଧ୍ୟରେ ଥିବା ଗଭୀର ଆତ୍ମୀୟତାକୁ ପ୍ରକାଶ କରେ।

 

Dharitri – Odisha’s No.1 Odia Daily

Share