ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ ରକ୍ତପାୟୀ ପରି ଶୋଷିବାକୁ ଲାଗିଲେ ଶ୍ରମିକର ରକ୍ତ। ଏହାର ପ୍ରତିକ୍ରିୟା ସ୍ବରୂପ ଜନ୍ମନେଲା ବିପ୍ଳବୀ କାଲମାକର୍‌ସଙ୍କର ସମାଜବାଦୀ ଦର୍ଶନ। ମାକର୍‌ସ କହିଲେ, ମଣିଷ ଅପେକ୍ଷା ମଣିଷର ଶ୍ରମଶକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ। ମଣିଷର ଜୀବନ ଶହେ ବର୍ଷ ବା ତା’ଠାରୁ କମ୍‌ ବୟସରେ ଶେଷ ହୋଇଯାଇପାରେ, ମାତ୍ର ତା’ର ଶ୍ରମଜାତ କାର୍ଯ୍ୟ ଅମର ହୋଇ ରହେ ଅନନ୍ତକାଳ ପର୍ଯ୍ୟନ୍ତ। ତେଣୁ ମଣିଷର ଶ୍ରମ ହିଁ ସଭ୍ୟତାର ପରମ ସୌନ୍ଦର୍ଯ୍ୟ। ସଭ୍ୟତାର କ୍ରମ ବିକାଶ ପଛରେ ମଣିଷର ଯେଉଁ ଶ୍ରମ ଓ ସଂଘର୍ଷ ରହିଛି ତାହା ପୁଞ୍ଜି ତୁଳନାରେ ଯଥେଷ୍ଟ ମହତ୍ତ୍ୱପୂର୍ଣ୍ଣ। ଏହି ବିଚାରବୋଧ ନେଇ ପୁଞ୍ଜିପତିଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ଆହ୍ବାନ ଥିଲା – ‘ଦୁନିଆର ଶ୍ରମିକ ଏକ ହୁଅ’। ମାକର୍‌ସଙ୍କର ଏହି ନାରା ସାରା ବିଶ୍ୱରେ ଖେଳାଇ ଦେଲା ସମାଜବାଦୀ ଚେତନାର ଉତ୍ତାଳ ତରଙ୍ଗ। ନିଜର ଅଧିକାର ସାବ୍ୟସ୍ତ ପାଇଁ ବିଭିନ୍ନ ଦେଶରେ ଶ୍ରମିକମାନେ ଏକଜୁଟ ହୋଇ ଗଠନ କଲେ ଶ୍ରମିକ ସଙ୍ଗଠନ। ଏହା କ୍ରମଶଃ ଭାରତ ବର୍ଷକୁ ସମ୍ପ୍ରସାରିତ ହେଲା ଏବଂ ୧୯୮୪ରେ ନାରାୟଣ ମେଘାଜୀ ଲୋଖାଣ୍ଡେଙ୍କ ନେତୃତ୍ୱରେ ବମ୍ବେରେ ଗଠନ ହେଲା ଦେଶର ପ୍ରଥମ ମଜଦୁର ସଂଘ।
ପୃଥିବୀ ଇିତହାସରେ ରୁଷ ବିପ୍ଳବ (୧୯୧୭) ଥିଲା ଏକ ଯୁଗାନ୍ତକାରୀ ଘଟଣା। ଏହି ବିପ୍ଳବ ପଛରେ ଥିଲା ଶ୍ରମଜୀବୀ ମଣିଷର ବର୍ଷ ବର୍ଷର ପୁଞ୍ଜିଭୂତ ଅସନ୍ତୋଷ। ରୁଷ ବିପ୍ଳବର ସଫଳତା ଶ୍ରମିକ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କଲା ଏବଂ ଗାନ୍ଧିଜୀଙ୍କୁ ପ୍ରଭାବିତ କଲା ମାକର୍‌ସଙ୍କର ‘ମିଳିମିଶି ଉପତ୍ାଦନ କରିବା ଓ ଆବଶ୍ୟକତା ଅନୁସାରେ ବାଣ୍ଟି ଖାଇବା’ ନୀତି। ବାସ୍ତବରେ ଗାନ୍ଧିଜୀ ଥିଲେ ରଚନାମତ୍କ କ୍ରାନ୍ତୀର କୃତବିଦ୍ୟ ପ୍ରବର୍ତ୍ତକ। ଦକ୍ଷିଣ ଆଫ୍ରିକାରେ ତାଙ୍କର ୨୧ ବର୍ଷର ସଂଗ୍ରାମୀ ଜୀବନ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଥିଲା ମେହନତି ମଣିଷର ସ୍ବାଧିକାର, ସୁରକ୍ଷା ଓ କଲ୍ୟାଣକାରୀ। ଦକ୍ଷିଣ ଆଫ୍ରିକାରୁ ଫେରି ସେ ୧୯୧୮ରେ ଅହମଦାବାଦରେ ପ୍ରତିଷ୍ଠା କଲେ ଗାନ୍ଧୀ ଶ୍ରମ ପ୍ରତିଷ୍ଠାନ। ମାକର୍‌ସବାଦୀ ବିଚାରଧାରାକୁ ଗ୍ରହଣ କରି ସେ କହିଲେ, ଉତ୍ପାଦନ ନିମନ୍ତେ ପୁଞ୍ଜିଠାରୁ ଶ୍ରମର ଭୂମିକା ବେଶି। ଶ୍ରମକୁ ଛାଡ଼ି କେବଳ ପୁଞ୍ଜି ବିନିଯୋଗ କରି କେବେ ବି ଉତ୍ପାଦନ କରାଯାଇପାରିବ ନାହିଁ ଚାଉଳ, ଅଟା, ଡାଲି ଆଦି ଖାଦ୍ୟ ସାମଗ୍ରୀ ବା ମୋଟର ଗାଡ଼ି ଭଳି ଯନ୍ତ୍ର। ତାଙ୍କ ମତରେ ଜଣେ ଶିଳ୍ପପତି ନିଜର ବୁଦ୍ଧି ଓ ପୁଞ୍ଜି ବଳରେ ଅର୍ଥର ପାହାଡ଼ ସୃଷ୍ଟି କରିପାରେ, କିନ୍ତୁ ସେହି ଅର୍ଜନ ପଥରେ ଥିବା ଶ୍ରମିକର ଶ୍ରମ ହିଁ ତା’ର ବିକାଶର ଆଧାର।
ଗାନ୍ଧିଜୀ ଥିଲେ ମାନବତା ବାଦର ଜଣେ ବଳିଷ୍ଠ ପ୍ରବକ୍ତା ତଥା ଶ୍ରମଜୀବୀଙ୍କ ଯଥାର୍ଥ ପଥପ୍ରଦର୍ଶକ। ସେ ଜାଣିଥିଲେ ଶ୍ରମ ଦାନରେ ଦେଶକୁ ସମୃଦ୍ଧ କରୁଥିବା ଶ୍ରମିକର ଆର୍ଥିକ ଅବସ୍ଥା ବିପନ୍ନ ହେଲେ ଦୋହଲି ଯାଏ ଦେଶର ଅର୍ଥନୀତି। ତାଙ୍କ ଅବଧାରଣାରେ ପୁଞ୍ଜି ଯେମିତି ଶ୍ରମ ସୃଷ୍ଟି କରେ, ସେମିତି ଶ୍ରମ ସୃଷ୍ଟି କରେ ପୁଞ୍ଜି। ତେଣୁ ଶ୍ରମିକକୁ ଶୋଷଣ କରି ସବୁଦିନ ପାଇଁ ଲାଭବାନ ହୋଇପାରିବନି ଶିଳ୍ପପତି, ବରଂ ଉତ୍ପାଦନ ପ୍ରକ୍ରିୟାକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ଶ୍ରମିକକୁ ସନ୍ତୁଷ୍ଟ କରିବା ଶିଳ୍ପପତିର ନୈତିକ ଦାୟିତ୍ୱ।
ପୁଞ୍ଜି ଓ ଶ୍ରମ ମଧ୍ୟରେ ସଂଘର୍ଷ ନୁହେଁ, ଗାନ୍ଧିଜୀ ଚାହୁଁଥିଲେ ଏକ ସହଯୋଗ ଭିତ୍ତିକ ସମ୍ପର୍କ। ତାଙ୍କ ମତରେ ପୁଞ୍ଜି ଓ ଶ୍ରମ ମଧ୍ୟରେ ଐକ୍ୟଭାବ ସୃଷ୍ଟି କରାଯାଇପାରିଲେ କେବଳ ଉଭୟ ପକ୍ଷର ଲାଭ ନୁହେଁ ବରଂ ଏହାଦ୍ୱାରା ସମ୍ଭବ ହେବ ରାଷ୍ଟ୍ରର ବିକାଶ। ତେଣୁ ଏଭଳି ପ୍ରଚୋଦନାମତ୍କ ଓ ବନ୍ଧୁଭାବାପନ୍ନ ଆଭିମୁଖ୍ୟ ନେଇ ପୁଞ୍ଜିପତି ଓ ଶ୍ରମିକମାନେ ଭିତରେ ଥିବା ମତପାର୍ଥକ୍ୟ ଓ ବିଭେଦକୁ ଦୂର କରିବା ପାଇଁ ଚାହିଁଛନ୍ତି ଏବଂ ଏହାର ପରୀକ୍ଷା ନିରୀକ୍ଷା କରି ପାଇଛନ୍ତି ଆଶାତୀତ ସଫଳତା। ଶ୍ରମିକମାନଙ୍କ ମୌଳିକ ସ୍ବାର୍ଥ ସୁରକ୍ଷା ପାଇଁ ସେ ଅହମଦାବାଦର ଲୁଗାକଳ ମାଲିକଙ୍କ ନୀତିକୁ ବିରୋଧ କରି ଧର୍ମଘଟ କରିଛନ୍ତି ସତ, ମାତ୍ର ଏଥିରେ ନ ଥିଲା ମୁକାବିଲାମୂଳକ ମନୋଭାବ ବା ମୁହାଁମୁହିଁ ହେବାର ପ୍ରଶ୍ନ। ପୁଞ୍ଜି ଓ ଶ୍ରମ ମଧ୍ୟରେ ସଂଘର୍ଷ ନୁହେଁ, ସେ କେବଳ ଚାହୁଁଥିଲେ ଏକ ସହଯୋଗଭିତ୍ତିକ ସମ୍ପର୍କ।
ଗାନ୍ଧୀ ଅର୍ଥନୀତିରେ ପ୍ରଥମ ଓ ପ୍ରଧାନ ଆଦର୍ଶ ହେଉଛି ସହଯୋଗିତା ଓ ସ୍ବାବଲମ୍ବନଶୀଳତା। ଗାନ୍ଧିଜୀଙ୍କ ଦୃଷ୍ଟିରେ ଯନ୍ତ୍ର ଏକ ସଇତାନୀ ସଭ୍ୟତାର ପ୍ରତୀକ। କାରଣ ଯନ୍ତ୍ର ଜରିଆରେ ମଣିଷ ହାତରୁ କାମ ଛଡ଼େଇ ନେବା ଏକ ଅବିବେକୀ କାର୍ଯ୍ୟ। ଏହି ଦୃଷ୍ଟିରୁ ତାଙ୍କୁ ଯେଉଁମାନେ ଯନ୍ତ୍ର ବିରୋଧୀ ବୋଲି ଅଭିଯୋଗ କରନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ସେ ହରିଜନ ପତ୍ରିକାରେ ଲେଖିଥିଲେ (୨୨ା୨ା୧୯୩୫) ଯେଉଁ ଉଦ୍ଭାବନ ଲୋକଙ୍କ ଉପକାର କରିବ ମୁଁ ତା’ର ପ୍ରଶଂସକ। ତେଣୁ ଯେଉଁ କାମ ମଣିଷ ହାତରେ କରି ନ ହେବ ତାହା ଯନ୍ତ୍ର ସାହାଯ୍ୟରେ ହେବା ଉଚିତ। ମାତ୍ର ସେ ଯନ୍ତ୍ର ରାଷ୍ଟ୍ର ଅଧୀନରେ ରହିବା ଜରୁରୀ।
ଗାନ୍ଧିଜୀ ଥିଲେ ମେହେନତି ମଣିଷର ଦରଦୀ ବନ୍ଧୁ। ସାଥୀ, ସମର୍ଥକ ଓ ସେନାପତି। ସାବରମତୀ ଆଶ୍ରମ ଥିଲା ତାଙ୍କ ସଂଗ୍ରାମ, ସତ୍ୟାଗ୍ରହ ଓ ଶ୍ରମିକମାନଙ୍କ ଆନ୍ଦୋଳନର ନିୟନ୍ତ୍ରଣ କକ୍ଷ। ଗାନ୍ଧିଜୀଙ୍କ ମତରେ ଶ୍ରମ ପୁଣ୍ୟ ନୁହେଁ କିମ୍ବା ଶ୍ରମିକ ପୁଞ୍ଜିର ଶ୍ରେଣୀ ଶତ୍ରୁ ନୁହେଁ। ଏକ ଜନକଲ୍ୟାଣକାରୀ ସମାଜ ବ୍ୟବସ୍ଥାରେ ଶିଳ୍ପାୟନ ପ୍ରତିଭା ସହ ପରିଚାଳନା କର୍ତ୍ତୃପକ୍ଷ ଓ ଶ୍ରମଶକ୍ତି ଓତପ୍ରୋତ ଭାବେ ଜଡ଼ିତ। ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟ ମାଧ୍ୟମରେ ସମ୍ଭବ ହୁଏ ଉତ୍ପାଦନର ଗୁଣାମତ୍କ ଓ ପରିମାଣାମତ୍କ ଅଭିବୃଦ୍ଧି।
ଗାନ୍ଧିଜୀ ଥିଲେ ମୁକାବିଲା ଓ ଶ୍ରେଣୀ ବୈରଭାବକୁ ଜାବୁଡ଼ି ଧରିବାର ଘୋର ବିରୋଧୀ। ବଡ଼ ବଡ଼ ଶିଳ୍ପ ବଦଳରେ ସ୍ବଦେଶୀ କୌଶଳ ଅବଲମ୍ବନ କରି ଉତ୍ପାଦନ କରିବା ଥିଲା ତାଙ୍କ ଶିଳ୍ପନୀତିର ମୂଳକଥା। ସୁତରାଂ ଗାନ୍ଧୀ ଅର୍ଥନୀତି ଥିଲା ସମ୍ପୂର୍ଣ୍ଣ ଗ୍ରାମ୍ୟଭିତ୍ତିକ। ସେ ଚାହୁଁଥିଲେ ସ୍ଥାନୀୟ ଭାବେ ମିଳୁଥିବା କଞ୍ଚାମାଲକୁ ନେଇ ପ୍ରତ୍ୟେକ ଗାଁରେ ଗଢ଼ିଉଠୁ ଗ୍ରାମ୍ୟଶିଳ୍ପ ଓ ଗ୍ରାମ୍ୟ ଉତ୍ପାଦନ କେନ୍ଦ୍ର। ଏହାଦ୍ୱାରା ପରିବହନ ଖର୍ଚ୍ଚ ପଡ଼ିବନି କି କଳକାରଖାନା ଚାଲିବା ପାଇଁ ପୋଡ଼ିବନି ଇନ୍ଧନ। ପରିବେଶ ପ୍ରଦୂଷଣ ହେବନି କି ରହିବନି କୃତ୍ରିମ ଅଭାବ, ଚଢ଼ାଦର ଓ ଅପମିଶ୍ରଣର ଭୟ। ସମସ୍ତଙ୍କ ହାତକୁ କାମ ମିଳିବ, କିନ୍ତୁ ଶ୍ରମିକ ଶୋଷଣର ଶିକାର ହେବନି କି ବଢ଼ିବନି ଧନୀ ଓ ଦରିଦ୍ର ଭିତରେ ବ୍ୟବଧାନ।
ଗାନ୍ଧୀ ଅର୍ଥନୀତିର ଏକ ପ୍ରମୁଖ ସ୍ତମ୍ଭ ହେଲା ସ୍ବଦେଶୀ ବିଚାର। ଭାରତର ବୟନ ଶିଳ୍ପକୁ ଧ୍ୱଂସ କରିଦେବା ନିମନ୍ତେ ଉଦ୍ଦିଷ୍ଟ ଇଂରେଜ ସରକାରଙ୍କ କାରଖାନା ଆଇନ (୧୯୮୧)ର ମୂଳକଥା ବୁଝିବା ପରେ ଗାନ୍ଧିଜୀ ଆରମ୍ଭ କରିଥିଲେ ସ୍ବଦେଶୀ ଆନ୍ଦୋଳନ। ଏହି ପରିପ୍ରେକ୍ଷୀରେ କୁଟି ଖାଅ ଓ କାଟି ପିନ୍ଧ ଥିଲା ତାଙ୍କର ସ୍ବାବଲମ୍ବୀ ଆହ୍ବାନ। ଗାନ୍ଧିଜୀଙ୍କ ସ୍ବଦେଶୀ ଆନ୍ଦୋଳନ ଡାକରାରେ ବିଦେଶୀ ବସ୍ତ୍ର ବର୍ଜନ କରିବାକୁ ଆଗେଇ ଆସିଲେ ଲକ୍ଷ ଲକ୍ଷ ଲୋକ। କୁଟୀର ଶିଳ୍ପର ବିକାଶ ପାଇଁ ଗାନ୍ଧିଜୀ ସତ୍ୟାଗ୍ରହୀଙ୍କ ହାତରେ ଧରେଇ ଦେଲେ ଚରଖା। ସ୍ବାଧୀନତା ସଂଗ୍ରାମୀଙ୍କୁ ଅନୁକରଣ କରି ଚରଖା ସୂତା କାଟିବା ଆରମ୍ଭ କରିଦେଲେ ସମାଜର ସବୁ ବର୍ଗର ଲୋକ। ଏହାଦ୍ୱାରା ଖଦି ବସ୍ତ୍ର ପାଲଟିଗଲା ଦେଶପ୍ରେମର ପରିଚୟ। ଶ୍ରମ ବ୍ୟବସ୍ଥାରେ ବିକେନ୍ଦ୍ରୀକରଣ ତଥା ସମତାର ବିଚାର ଉପରେ ଗୁରୁତ୍ୱ ଦିଏ ଗାନ୍ଧୀ ଅର୍ଥନୀତି।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ମେହେନତି ମଣିଷଙ୍କ ଦୁଃଖ କଥା ନୁହେଁ, ସରକାର ବେଶି ଚିନ୍ତା କରନ୍ତି ଥିଲାବାଲାଙ୍କ ସୁଖ ସ୍ବାଚ୍ଛନ୍ଦ୍ୟର କଥା। ଶ୍ରମିକ କଲ୍ୟାଣ ତଥା ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ସରକାର ଯେ କିଛି କମ୍‌ ଆଇନ ତିଆରି କରିଛନ୍ତି ତାହା ନୁହେଁ, ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ସେସବୁ ସଫଳ ଓ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି କେବଳ କାଗଜ କଲମରେ। ସେଥିପାଇଁ ଆଜି ନିଜର ହକ୍‌ ପାଇଁ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛି ଶ୍ରମିକ।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ଅବସରପ୍ରାପ୍ତ ଅଧ୍ୟକ୍ଷ
    ବିଜୁ ପଟ୍ଟନାୟକ ନଗର, ଭଦ୍ରକ
    ମୋ:୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri