ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ

ଆରଡି,୧୧।୩(ଡି.ଏନ୍‌.ଏ.): କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଜିଲା ପ୍ରଶାସନ ବିନାଭକ୍ତରେ ଆଖଣ୍ଡଳମଣି ପୀଠ ଆରଡିରେ ମହାଶିବରାତ୍ରି ଅନୁଷ୍ଠିତ ହେବା ନେଇ ଘୋଷଣା କରିଥିଲା। ହେଲେ ଏହାକୁ ବିରୋଧ କରି ସେବାୟତମାନେ ବୁଧବାର ରାତି ସାରା ଅନଶନ କରିଥିଲେ। ପରେ ରାତି ୩ଟାରେ ପୀଠରେ ଉପ ଜିଲାପାଳ, ଅତିରିକ୍ତ ଜିଲାପାଳ, ଆଡିସନାଲ ଏସ.ପି., ଚାନ୍ଦବାଲି ତହସିଲଦାର, ବିଡିଓ ପହଞ୍ଚି ସେବାୟତଙ୍କୁ ଅନଶନରୁ ଓହରିବାକୁ ଅନୁରୋଧ କରିଥିଲେ। ହେଲେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଆଦି ଜିଲାର ଭକ୍ତମାନଙ୍କୁ ପୀଠକୁ ପ୍ରବେଶ କରିବାକୁ ଅନୁମତି ଦେବାକୁ ସେବାୟତ ଦାବି କରିଥିଲେ। ଶେଷରେ ନିକଟସ୍ଥ ୪ ପଞ୍ଚାୟତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗର ଅଧିବାସୀମାନଙ୍କୁ ପୀଠରେ ପ୍ରବେଶ କରି ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା। ଗୁରୁବାର ଭୋର ୫ଟାରେ ମଙ୍ଗଳଆଳତି କରାଯାଇଛି। ଦିନତମାମ ସେବାୟତଘର୍ଷଣ ଭୋଗଲାଗି ସହ ସମସ୍ତ ନୀତିକାନ୍ତି ହେଉଛି। ତେବେ ରାତ୍ର ୧ ଘଟିକାରେ ବାବାମଣିଙ୍କର ସୁନାବେଶ ଓ ରାତ୍ର ୪.୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠାଯିବ ବୋଲି ମନ୍ଦିର ପ୍ରଶାସନ ଓ ସେବାୟତ ସୂଚନା ଦେଇଛନ୍ତି।