ବରଗଡ଼ ଜିଲାରେ ମହାପ୍ରୟାଣ ଯୋଜନା ବାଟବଣା: ଚାଳକ ଆସିଲେନି, ଭଡାଗାଡିରେ ଗଲା ମୃତଦେହ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)- ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତକଙ୍କ ଘର କିମ୍ବା ଶ୍ମଶାନ ପର୍ଯ୍ୟନ୍ତ ମାଗଣାରେ ଶବ ପରିବହନ ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ବରଗଡ଼ ଜିଲାରେ ବିଭିନ୍ନ ସମୟରେ ଏହା ବାଟବଣା ହୋଇ ପଡିଛି । ଗତ କିଛି ବର୍ଷ ପୂର୍ବରୁ ଏଠାରେ ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ମୃତକଙ୍କ ପରିବାରଙ୍କଠାରୁ ଅର୍ଥ ଦାବି କରି ଜଣେ ଚାଳକ ନିଲମ୍ବିତ ହୋଇଥିବା ନଜୀର ରହିଥିବାବେଳେ ମଙ୍ଗଳବାର ମହାପ୍ରୟାଣ ଗାଡ଼ି ଚଲାଉଥିବା ଅନ୍ୟ ଜଣେ ଚାଳକଙ୍କ ଅବହେଳା ପଦାରେ ପଡ଼ିଛି। ଚାଳକ(ଡ୍ରାଇଭର ) ଉପସ୍ଥିତ ନ ଥିବା ଯୋଗୁ ମୃତକଙ୍କ ପରିବାର ଲୋକେ ମହାପ୍ରୟାଣ ଯୋଜନାର ସୁବିଧା ସୁଯୋଗରୁ ବଞ୍ଚିତ ହେବା ଏବଂ ଭଡ଼ାଗାଡିରେ ମୃତଦେହ ଘରକୁ ନେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଶ୍ବାସରୋଗରେ ପୀଡ଼ିତ ବରଡୋଲ ଗ୍ରାମର ଜନାର୍ଦ୍ଦନ ଜେନା(୪୦) ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲୋକେ ମହାପ୍ରୟାଣ ଗାଡ଼ିରେ ମୃତଦେହ ନେବାକୁ ଚାହିଁଥିଲେ। ତେବେ ସେତେବେଳେ ମହାପ୍ରୟାଣ ଗାଡ଼ି ଜିଲା ମୁଖ୍ୟ ଡାକ୍ତରଖାନାରେ ମହଜୁଦ ଥିବାବେଳେ ଚାଳକ ନ ଥିଲେ । ଏପରିକି ଫୋନ୍ କରିବାରୁ ସେତେବେଳେ ସେ ଘରେ ଶୋଇଥିଲେ ବୋଲି ପରିବାର ଲୋକେ ସୂଚନା ଦେଇଥିଲେ। ଏହାପରେ ଅନ୍ୟୋପାୟ ହୋଇ ମୃତକଙ୍କ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସ ଭଡ଼ା କରିଥିଲେ ଏବଂ ସେଥିରେ ମୃତଦେହ ଘରକୁ ନେଇଥିଲେ। ଏହା ସହିତ ଅନ୍ୟ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହେବାରୁ ତାଙ୍କ ମୃତଦେହକୁ ମଧ୍ୟ ପରିବାର ଲୋକେ ଭଡ଼ା ଗାଡ଼ିରେ ନେଇଥିବା ସୂଚନା ମିଳିଛି। ଜିଲା ସ୍ବାସ୍ଥ୍ୟ ବିଭାଗରେ ବାରମ୍ବାର ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Share