ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ, ବିଜେଡି ସାଙ୍ଗଠନିକ ସମ୍ପାଦକ

ପୁରୀ ଅଫିସ, ୪ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉଭୟଙ୍କୁ ଜିଲାପାଳ ସମର୍ଥ ବର୍ମା, ଏସ୍‌ପି ବିଶାଲ କନଓ୍ବର ସିଂ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ସେବାୟତମାନେ ସ୍ବାଗତ ଜଣାଇଥିଲେ। ୫-ଟି ସଚିବ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ସେବାୟତମାନେ ମହାପ୍ରଭୁଙ୍କଲାଗି ଖଣ୍ଡୁଆ ଦେଇ ସମ୍ବର୍ଦ୍ଧିତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଦୁହେଁ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ। ଭିତର ବେଢ଼ାରେ ଥିବା ପାର୍ଶ୍ୱଦେବଦେବୀଙ୍କୁ ଦର୍ଶନ କରିବା ସହ କିଛି ସମୟ ବିତାଇବା ପରେ ଫେରିଥିଲେ। ଏହି ଅବସରରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଦାସ କହିଥିଲେ, ମହାପ୍ରଭୁ ତାଙ୍କ କାର୍ଯ୍ୟ କରୁଛନ୍ତି। ଆମେ କିଛି ନୁହଁ। ମହାପ୍ରଭୁଙ୍କ ମାର୍ଗଦର୍ଶନରେ ହିଁ ସମସ୍ତ କାର୍ଯ୍ୟ ହେଉଛି। ସେ ହେଉଛନ୍ତି ଭକ୍ତର ଭଗବାନ। ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉଛି ଓ ଖୁବ୍‌ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ। କେହି ଏହାକୁ ଅଟକାଇ ପାରିବେନି ବୋଲି ଦାସ ପ୍ରକାଶ କରିଥିଲେ।