ନୀଳାଚଳକୁ ଫେରିଲେ ମହାପ୍ରଭୁ: ବଡଦାଣ୍ଡରେ ଲାଗିଲା ତିନିରଥ

ପୁରୀ ଅଫିସ୍‌,୨୦।୭: ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ନୀଳାଚଳକୁ ଫେରିଛନ୍ତି ମହାବାହୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡଦାଣ୍ଡରେ ଲାଗିଛି ତିନି ରଥ। ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ପ୍ରଥମେ ବଳଭଦ୍ରଙ୍କ ରଥ, ପରେ ସୁଭଦ୍ରାଙ୍କ ରଥ ଏବଂ ଶେଷରେ କାଳିଆ ଠାକୁରଙ୍କ ରଥ ବଡଦାଣ୍ଡରେ ଲାଗିଥିଲା। ନବଦିନାତ୍ମକ ଯାତ୍ରା ସାରି ଭାଇଭଉଣୀଙ୍କ ସହ ଜନ୍ମ ବେଦୀରୁ ରତ୍ନ ବେଦୀକୁ ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହୋଇଥିଲା।
ସୂଚନାଯୋଗ୍ୟ, ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତିକାନ୍ତି। ଏହାପରେ ଗଜପତି ମହାରାଜା ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ। ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହେଉଛି।