ମହାପ୍ରଭୁ: ଆଶୀର୍ବାଦ କରନ୍ତୁ

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଓଡ଼ିଆ ଜାତିର ଇଷ୍ଟ ତଥା ଅଗଣିତ ସନାତନୀ ବିଶ୍ୱାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ କଳାଠାକୁର ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ସୁନାବେଶ-ଅଧରପଣା ପରେ ନୀଳାଦ୍ରିବିଜେ କରିବେ। ମହାପ୍ରଭୁଙ୍କ ମହାଲୀଳାରେ ସାମିଲ ହେବା ପାଇଁ ପୁରୀ ବଡ଼ଦାଣ୍ଡ ଚଳଚଞ୍ଚଳ ହେବ। ଏହାସହ ଓଡ଼ିଶାର ପୁରପଲ୍ଲୀ, ସବୁ ରାଜ୍ୟ ଏବଂ ବିଶ୍ୱର ଅନେକ ରାଷ୍ଟ୍ରରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାରେ ମଧ୍ୟ ସାରା ଦୁନିଆ ସାମିଲ ହେବ। ବାହୁଡ଼ାଯାତ୍ରାର ପବିତ୍ର ଅବସରରେ ସାଢ଼େ ଚାରି କୋଟି ଓଡ଼ିଆ ତଥା ସମଗ୍ର ମାନବ ସମାଜ ଉପରେ ମହାପ୍ରଭୁ ଆଶୀର୍ବାଦ ବର୍ଷା କରନ୍ତୁ, ଏହା ହିଁ ପ୍ରାର୍ଥନା।
ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ପ୍ରବଳ ଜନସମାଗମ। ଏହାସହ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କର ଜୀବନଦୀପ ଲିଭିଯିବା ଘଟଣା ଆପଣମାନଙ୍କୁ ନିଶ୍ଚିତ ଭାବେ ବ୍ୟଥିତ କରିଛି। ସବୁ ଓଡ଼ିଶାବାସୀଙ୍କ ପରି ସେଦିନ ମୁଁ ବି ବ୍ୟଥିତ ହୋଇଉଠିଥିଲି। ଆପଣମାନଙ୍କ ମନରେ ଯେଉଁ ଦୁଃଖ ଓ ଯନ୍ତ୍ରଣା ଥିଲା ମୋ ମନ ବି ଠିକ୍‌ ସେମିତି ଦୁଃଖ ଓ ଯନ୍ତ୍ରଣାରେ ଜର୍ଜରିତ ହୋଇଥିଲା। ସେଦିନ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ମହାପ୍ରଭୁଙ୍କ ଅଗଣିତ ଭକ୍ତମଣ୍ଡଳୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲି। ଯେ କେହିବି ଏହି ଜୀବନହାନି ପାଇଁ ଦାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୋର ପ୍ରିୟ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲି।
ଜୀବନହାନିର କ୍ଷତିପୂରଣ ଅର୍ଥ ହୋଇପାରିବ ନାହିଁ। ତଥାପି ତିନି ପରିବାର ପାଖରେ ମୋ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ୍‌ କରି ଶାନ୍ତ୍ୱନା ଦେବା ପାଇଁ ପଠାଇଥିଲି। ଏହାସହ ପଚିଶ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ତିନି ପରିବାରର ଦୁଃଖ, କଷ୍ଟ ଓ ନିଜର ପରିଜନଙ୍କୁ ହରାଇବାର କଷ୍ଟକୁ ତ କେହି ନେଇପାରିବେ ନାହିଁ। ମାତ୍ର ଏହି ପରିବାରର ବନ୍ଧୁ ଭାବରେ ସେମାନଙ୍କ ଦୁଃଖର ଘଡ଼ିରେ ମୁଁ ଓ ମୋ ସରକାର ଛିଡ଼ା ହେବା ଆମର ପରମ ଦାୟିତ୍ୱ ଓ କର୍ତ୍ତବ୍ୟ ଭାବରେ ନେଇଛୁ। ପ୍ରାଥମିକ ସ୍ତରରେ କିଛି ବରିଷ୍ଠ ଅଧିକାରୀଙ୍କୁ ବଦଳି, କିଛିଙ୍କୁ ନିଲମ୍ବନ କରିଛୁ। ଏହି ଘଟଣାର ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେବା ସହ ଆସନ୍ତା ମାସେ ଭିତରେ ତଦନ୍ତ ରିପୋର୍ଟ ଦେବା ପାଇଁ ମୁଁ ନିର୍ଦ୍ଦେଶ ଦେଇଛି। ସେ ଦିନ ବି କହିଥିଲି ଆଜି ପବିତ୍ର ବାହୁଡ଼ାଯାତ୍ରା ଅବସରରେ ପୁଣି ଥରେ ଦୋହରାଉଛି। ତଦନ୍ତ ରିପୋର୍ଟ ଆସିବା ପରେ ସଙ୍ଗେସଙ୍ଗେ ତର୍ଜମା କରି ଏହି ଅଘଟଣ ପାଇଁ ଯାହାର ବି ଅବହେଳା ଦାୟୀ ସେ ଯିଏବି ହୁଅନ୍ତୁନା କାହିଁକି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ନାଥ। ସେ ବିଶ୍ୱନିୟନ୍ତା। ସମଗ୍ର ମାନବଜାତିର ଦେବତା। ମାତ୍ର ପୁରୀ ନୀଳାଚଳ ଧାମକୁ ଆସିବା ପୂର୍ବରୁ ଆଦିବାସୀ ଶବର ରାଜା ବିଶ୍ୱାବସୁଙ୍କ ଦ୍ୱାରା ସେ ହେଉଥିଲେ ପୂଜିତ। ବଣଜଙ୍ଗଲର ଫଳମୂଳ ସହ ଆଦିବାସୀ ସମାଜର ଭକ୍ତି ଓ ଭାବରେ ସନ୍ତୁଷ୍ଟ ହେଉଥିଲେ ବିଶ୍ୱନିୟନ୍ତା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବନବାସ ସମୟରେ ଶବରୀ ମାତାର ଆତିଥ୍ୟକୁ ଖାଲି ସ୍ବୀକାର କରି ନ ଥିଲେ, ବରଂ ଜଣେ ଆଦିବାସୀ ବୃଦ୍ଧା ଖଟାମିଠା ଫଳ ବାଛିବା ପାଇଁ ପାଟିରେ ଚାଖି ନିଜ ଉଚ୍ଛିଷ୍ଟକୁ ଯେତେବେଳେ ଶ୍ରୀରାମଙ୍କୁ ଖୁଆଇ ଦେଉଥିଲେ ସେତେବେଳେ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ପରମ ତୃପ୍ତିରେ ଗ୍ରହଣ କରି ଶବରୀ ମାତା ଉପରେ ଆଶୀର୍ବାଦର ବର୍ଷା କରିଥିଲେ। ସେମିତି ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଆମର ମାଣବସା ଗୁରୁବାର। ପଞ୍ଚଦଶ ଶତାବ୍ଦୀରେ ଆମର ଅମର କବି ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଓଡ଼ିଆ ଜାତିର ସଭ୍ୟତା ଓ ସଂସ୍କୃତିର ଗର୍ବ ଓ ଗୌରବ। ଯେଉଁ ସଂସ୍କୃତିକୁ ଆମର ପରିବାରମାନଙ୍କରେ ଆଜିବି ନିଷ୍ଠା ଓ ଭକ୍ତିର ସହ ପାଳନ କରାଯାଏ। ସ୍ବୟଂ ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଆମ ସମାଜ ବ୍ୟବସ୍ଥାର ତଥାକଥିତ ନୀଚ ଜାତିର ଶ୍ରୀୟାର ଆତିଥ୍ୟ ସ୍ବୀକାର କରିଥିଲେ। ଉଚ୍ଚ ବା ନୀଚ ଜାତି ନୁହେଁ ବରଂ ମା’ ଅନ୍ନପୂର୍ଣ୍ଣା ଭକ୍ତି-ଭାବ ଓ ସ୍ବଚ୍ଛତା ଆଧାରରେ ନିଜେ ଆତିଥ୍ୟ ସ୍ବୀକାର କରିବା ପାଇଁ ପରିବାର ନିରୂପଣ କରିଥିଲେ।
ସମୟଚକ୍ରରେ ମୋ ଭଳି ଜଣେ ଗରିବ ଆଦିବାସୀ ପରିବାରରୁ ଆସିଥିବା ବ୍ୟକ୍ତିକୁ ସାରା ଓଡ଼ିଶାର ବିକାଶ ଓ ଅସ୍ମିତା ତଥା ସ୍ବାଭିମାନ ରକ୍ଷାର ଦାୟିତ୍ୱ ମିଳିବା ମହାପ୍ରଭୁଙ୍କ ଇଚ୍ଛା ବିନା ସମ୍ଭବ ନୁହେଁ। ମୁଁ ନିମିତ୍ତ ମାତ୍ର। ମହାପ୍ରଭୁ ହିଁ ଆମର ରାଜା। ଉତ୍କଳମଣିଙ୍କ ଭାଷାରେ, ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ବୟଂ ନାରାୟଣ।
ମୁଁ ଜାଣିଛି ମୋତେ ମହାପ୍ରଭୁଙ୍କ ଆଶୀର୍ବାଦ ବିନା ଓଡ଼ିଶା ବ୍ୟବସ୍ଥା ଚଳାଇବାର ଦାୟିତ୍ୱ ମିଳି ନ ଥାନ୍ତା। କିନ୍ତୁ ମହାପ୍ରଭୁଙ୍କ ସାମ୍ନାରେ ଦଳାଚକଟାରେ ମୃତ୍ୟୁରୁ ମୁଁ ଦାୟିତ୍ୱରୁ ହଟିପାରିବି ନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ତାଙ୍କର କୋଟି କୋଟି ଭକ୍ତ ମଣ୍ଡଳୀଙ୍କ ପାଖରେ ମୁଁ ଉତ୍ତରଦାୟୀ। ମୁଁ ଆଦିବାସୀ। ପଡ଼ି-ଉଠି ଜୀବନ ସଂଘର୍ଷ କରି ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଏହି ସ୍ଥାନରେ ପହଞ୍ଚିଛି। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଓଡ଼ିଶାକୁ ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ଆମେ ସଫଳ ହେବା, ଏହା ମୋର ଦୃଢ଼ ବିଶ୍ୱାସ।
ଆଜି ପବିତ୍ର ବାହୁଡ଼ାଯାତ୍ରାର ଶୁଭ ଅବସରରେ ଓଡ଼ିଶାର ମୋ ପ୍ରିୟ ଭାଇଭଉଣୀଙ୍କ ପାଖରେ ଆମ ସମସ୍ତଙ୍କ ପାଇଁ ଏକ ଶୁଭ ଖବର ଜଣାଇବାକୁ ଚାହୁଁଛି। ୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ତିନି ମାସରେ ଓଡ଼ିଶା ବେସରକାରୀ ପୁଞ୍ଜିନିବେଶ କ୍ଷେତ୍ରରେ ସାରା ଦେଶରେ ରେକର୍ଡ କରିଛି। ଏହି ତିନି ମାସରେ ସାରା ଦେଶରେ, ମାନେ ଓଡ଼ିଶା ସମେତ ସବୁ ରାଜ୍ୟରେ ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏଥିରୁ ଆମ ରାଜ୍ୟ ଓଡ଼ିଶା ଭାଗରେ ୧.୪ ଲକ୍ଷ କୋଟି ପଡ଼ିଛି। ମାନେ ଯଦି ସାରା ଦେଶକୁ ୧୦୦ ଟଙ୍କାର ପୁଞ୍ଜି ଆସିଛି ଦେଶର ଓଡ଼ିଶା ଛାଡ଼ି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ୬୦ ଟଙ୍କା ଗଲାବେଳେ କେବଳ ଓଡ଼ିଶାକୁ ୪୦ ଟଙ୍କା ଆସିଛି।
ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପୂର୍ବୋଦୟ ଯୋଜନାରେ ଓଡ଼ିଶାକୁ ପ୍ରାଥମିକତା ଦେବା ସହିତ ଓଡ଼ିଶାକୁ ପ୍ରକୃତପକ୍ଷେ ଲାଭ ଦେବା ଆରମ୍ଭ କରିଛି। ଉତ୍କର୍ଷ ଓଡ଼ିଶା ଓ ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାରେ ଆୟୋଜନ କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୋଦୀ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଇଥିଲେ।
ଖାଲି ପ୍ରତିଶ୍ରୁତି ନୁହେଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଓଡ଼ିଶା ଦେଶର ପୁଞ୍ଜି ଆକର୍ଷଣରେ ଏକ ନମ୍ବର ରାଜ୍ୟ ଭାବରେ ଉଭାହେବା-ଓଡ଼ିଶା ଯେ ନୂଆ ସରକାରର ପ୍ରଥମ ବର୍ଷରେ ଠିକ୍‌ ଦିଶା ଓ ସ୍ପଷ୍ଟ ନୀତିର ଆଧାରରେ ଆଗକୁ ବଢ଼ି ଚାଲିଛି ଏହା ପ୍ରମାଣିତ ହୋଇଛି।
ମହାପ୍ରଭୁ ଗରିବ ତଥା ଆଦିବାସୀ ସମାଜ ବ୍ୟବସ୍ଥାର ତଥାକଥିତ ଜାତି ବ୍ୟବସ୍ଥାର ସବା ତଳ ପାହାଚର ବ୍ୟକ୍ତିବିଶେଷ ଓ ଗରିବଙ୍କର ଦେବତା। ତାଙ୍କ ମହାପ୍ରସାଦ ବିତରଣର ସ୍ଥାନ ଆନନ୍ଦ ବଜାରରେ ଉଚ୍ଚନୀଚର ଭେଦଭାବ ନାହିଁ। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେଇ ଜନସମୁଦ୍ର ମଧ୍ୟରେ ଏକାକାର ହେବା ପାଇଁ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ଆମର ମହାବାହୁ।
ଆମର ବିଶ୍ୱାସ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୂର୍ଯ୍ୟ-ଚନ୍ଦ୍ର ଭଳି ବେନି ନୟନକୁ ଅନାଇ ଭାବବିହ୍ବଳ ହେଉଥିବା ଭକ୍ତର ସବୁ ଦୁଃଖ କଷ୍ଟ ହରନ୍ତି କଳାଠାକୁର।
ହେ ମହାବାହୁ। ଓଡ଼ିଆ ଜାତିକୁ ଆପଣ ଚକ୍ର ଉହାଡ଼ କରିଥାନ୍ତୁ। ଆଜି ଆମେ ଅଛୁ। ଏ ନଶ୍ୱର ସଂସାରରେ ପିଢ଼ି ପରେ ପିଢ଼ି ଆସିବ ଓ ଯିବ। କିନ୍ତୁ ଆପଣ କାହିଁ କେଉଁ ଅନାଦି ଅନନ୍ତ କାଳରୁ ଅଛନ୍ତି। ଆଉ ଅନାଦି-ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ। ଆପଣଙ୍କ ଆଶୀର୍ବାଦରେ ଆମେ ଆମ ଜୀବଦ୍ଦଶାରେ ଓଡ଼ିଶାକୁ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱର ଆର୍ଥତ୍କ ଦୃଷ୍ଟିରୁ ସବୁଠୁ ଆଗୁଆ ଭୂଖଣ୍ଡ ଭାବରେ ଗଢ଼ିତୋଳିବା ପାଇଁ ଚାହିୁଁ। ଆପଣଙ୍କ ଆଶୀର୍ବାଦରେ କେଇ ଶତାବ୍ଦୀ ପୂର୍ବରୁ ଓଡ଼ିଆ ସାଧବପୁଅ ପୂରା ଦକ୍ଷିଣ-ପୂର୍ବ ଏସିଆରେ ବ୍ୟବସାୟ ବାଣିଜ୍ୟ କରି ଆମ ରାଜ୍ୟକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇଥିଲେ। ସମୟର ଚକ ଗଡୁଛି। ଆପଣଙ୍କ ଇଚ୍ଛାରେ କିଏ କେତେବେଳେ ଆଗରେ ତ କିଏ କେତେବେଳେ ପଛରେ। ଆମେ ଦିନରାତି ଯୋଜନାବଦ୍ଧ କଠିନ ପରିଶ୍ରମ ପାଇଁ ପ୍ରସ୍ତୁତ। ଆପଣଙ୍କ ଆଶୀର୍ବାଦ ଆମ ପଥକୁ ସୁଗମ କରିବ। ଆମ ପ୍ରଦେଶ ଗଠନର ଶହେ ବର୍ଷ ୨୦୩୬ ମସିହା ସୁଦ୍ଧା ଆମ ବିକଶିତ ଓଡ଼ିଶାର ସ୍ବପ୍ନ ସାକାର ପାଇଁ ଆଶୀର୍ବାଦ ଦିଅନ୍ତୁ।
ଆମ ରାଜ୍ୟ ଓଡ଼ିଶାକୁ ଆପଣ ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ଜଳସମ୍ପଦ, ଜଙ୍ଗଲସମ୍ପଦ ତଥା ପରିଶ୍ରମୀ ଓ ବୁଦ୍ଧିମାନ ମାନବସମ୍ବଳ ଦେଇଛନ୍ତି। ଓଡ଼ିଶା ପାଖରେ ଯେଉଁ ସମ୍ବଳ ଅଛି ଦେଶର ଅନ୍ୟ କୌଣସି ରାଜ୍ୟ ପାଖରେ ସେ ସଂସାଧନ ନାହିଁ। ହେ ମହାପ୍ରଭୁ-ଓଡ଼ିଶା ଧନୀ ମାତ୍ର ଓଡ଼ିଆ ଗରିବ। କେତେଦିନ ଏହି ଲାଞ୍ଛନା ଓ ଅପମାନ ସହିବାକୁ ପଡ଼ିବ ?
ମୁଁ ଆଦିବାସୀ-ଗରିବ ପରିବାରରୁ ଆସିଛି। ଗରିବର କଷ୍ଟକୁ ଅଙ୍ଗେ ନିଭେଇ ନିଭେଇ ଆସିଛି। ମହାପ୍ରଭୁ ଆପଣ ଜଗତର ନାଥ। ଗରିବର ଦେବତା। ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଆମେ ଆପଣଙ୍କୁ ସାକ୍ଷୀ ରଖି ଯୋଜନା କରିଛୁ। ଆପଣ ଆଶୀର୍ବାଦ କରନ୍ତୁ। ଜୟ ଜଗନ୍ନାଥ।

ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri