ମାହାଙ୍ଗା ଡବଲ ମର୍ଡର: ବିଜେଡିକୁ ଭାଜପାର ଅଙ୍ଗୁଳି

ଭୁବନେଶ୍ୱର,୪।୧(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ପରି ଓଡ଼ିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ଯେପରି ଭାଜପା ନେତାଙ୍କୁ ହତ୍ୟା କରାଯାଉଛି, ଠିକ୍‌ ସେହିପରି ରାଜ୍ୟରେ ବିଜେଡି ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି। ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି। କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା ଏହାର ଜ୍ୱଳନ୍ତ ଉଦାହରଣ। ଏହି ହତ୍ୟାକାଣ୍ଡ ପଛରେ ଶାସକ ଦଳ ମନ୍ତ୍ରୀଙ୍କ ହାତ ରହିଛି ବୋଲି ଗୋଲକ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାକୁ ନିନ୍ଦା କରି କହିଛନ୍ତି, ସାମାଜିକ ଜୀବନରେ ମତ ପାର୍ଥକ୍ୟ ରହିପାରେ ହେଲେ ହତ୍ୟା ଦୁଃଖର ଘଟଣା। ଘଟଣାରେ ପ୍ରଶାସନଠାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଶା କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ଅଭିଯୋଗକୁ ଆଇନମନ୍ତ୍ରୀ ପ୍ରତାପ ଜେନା ଖଣ୍ଡନ କରି କହିଛନ୍ତି ଯେ, ଜଗନ୍ନାଥଙ୍କ ରାଜ୍ୟରେ ରାଜନୈତିକ ହିଂସାର ସ୍ଥାନ ନାହିଁ।