ମୁରବିବିହୀନ ମହାବିରୋଡ ରେଞ୍ଜ

ପରଜଙ୍ଗ, ୧୮।୫(ଡି.ଏନ୍‌.ଏ.) – ସ୍ଥାୟୀ ରେଞ୍ଜ୍‌ ଅଧିକାରୀ ନ ଥିବାରୁ ମୁରବିବିହୀନ ହୋଇପଡ଼ିଛି ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ୍‌। ମୁକୁଳା ଜଙ୍ଗଲରେ କାଠ ମାଫିଆଙ୍କ ପତିଆରା ବଢୁଥିବାବେଳେ କାର୍ଯ୍ୟାଳୟରେ କର୍ମଚାରୀମାନେ ମଉଜ କରୁଥିବା ଅଭିଯୋଗ ହେଉଛି। ମହାବିରୋଡ ଭଳି ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ବନାଞ୍ଚଳରେ ଏଭଳି ଅବ୍ୟବସ୍ଥାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ମହାବିରୋଡ ରେଞ୍ଜ୍‌ରେ ୪ଟି ସେକ୍ସନ ଥିବାବେଳେ ଫରେଷ୍ଟ ବିଟ୍‌ ସଂଖ୍ୟା ୧୩। ଏହା ଉପରେ ପ୍ରାୟ ୨ ଲକ୍ଷ ଜନସାଧାରଣ ନିର୍ଭର କରୁଛନ୍ତି। ତେବେ ଦୀର୍ଘ ୮ମାସ ହେଲା ସ୍ଥାୟୀ ରେଞ୍ଜ୍‌ ଅଧିକାରୀ ନାହାନ୍ତି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ ଅଧିକାରୀ ସତ୍ୟନାରାୟଣ ସାହୁ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଏତେବଡ଼ ବନାଞ୍ଚଳକୁ ତଦାରଖ କରିବା ଲାଗି କର୍ମଚାରୀ ନ ଥିବାରୁ ଏହାର ସୁଯୋଗରେ କାଠମାଫିଆ ମାତିଲେଣି। ଜଙ୍ଗଲରୁ ଦିନରାତି ବହୁ ମୂଲ୍ୟବାନ ଗଛ କାଟି ଅନ୍ୟତ୍ର ଚାଲାଣ କରୁଛନ୍ତି। ଶିକାରୀମାନେ ଜଙ୍ଗଲରେ ପଶି ଅବାଧ ଶିକାର କରୁଛନ୍ତି। ଅସାମାଜିକମାନେ ଜଙ୍ଗଲରେ ନିଅଁା ଲଗାଇ ଦେଉଥିବାବେଳେ ଏହାକୁ ରୋକାଯାଇପାରୁନାହିଁ। ସେହିପରି ନୂତନ ବନୀକରଣ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହାର ସୁରକ୍ଷା ହୋଇପାରୁନାହିଁ।
ମଙ୍ଗଳବାର ଖବର ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ମହାବିରୋଡ୍‌ ରେଞ୍ଜ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟ ଖୋଲାଥିବାବେଳେ କେହି କର୍ମଚାରୀ ନ ଥିଲେ। ଏପରି କି କ୍ୟାମ୍ପସ୍‌ ପରିସରରେ କୁଢ଼ ହୋଇଥିଲା ଖାଲି ବିଦେଶୀ ମଦ ବୋତଲ। ସମଗ୍ର ପରିବେଶ ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିବା ନଜରକୁ ଆସିଥିଲା। ରେଞ୍ଜ୍‌ କାର୍ଯ୍ୟାଳୟ ପରିସରରେ ଥିବା ଆବାସିକ କାର୍ଯ୍ୟାଳୟରେ ମହାବିରୋଡ଼ ସେକ୍ସନର ନୂଆ କରି ଦାୟିତ୍ୱ ନେଇଥିବା ବନପାଳ ନବଘନ ମିଶ୍ର ଶୋଇଥିଲେ। ତାଙ୍କ ପ୍ରତିକ୍ରିୟା ନେବାରୁ ସେ ଅବାନ୍ତର ଯୁକ୍ତି ବାଢ଼ିଥିଲେ। ସେ କହିଥିଲେ, ନବଘନ ମିଶ୍ର ବୋଲି କେହି ବନ କର୍ମଚାରୀ ନାହାନ୍ତି। ସେ ବୁଲିବାକୁ ଆସିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ବନପାଳଙ୍କ ଏଭଳି ମନ୍ତବ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ଏ ସମ୍ପର୍କରେ ମହାବିରୋଡ୍‌ ରେଞ୍ଜ୍‌ ଦାୟିତ୍ୱରେ ଥିବା ଅଧିକାରୀ ସତ୍ୟନାରାୟଣ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ୨ଟି ରେଞ୍ଜ ଦାୟିତ୍ୱରେ ଥିବାରୁ ସମସ୍ୟା ହେଉଛି। କାମ ପଡ଼ିଲେ ମହାବିରୋଡ ଯାଇଥା’ନ୍ତି। ଅଭିଯୋଗରେ ସତ୍ୟତା ନାହିଁ। ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।