ଜାଳେଣିକାଠ ଆଣିବାକୁ ଯାଇଥିବାବେଳେ ବୃଦ୍ଧାଙ୍କୁ ଟାଣିନେଲା ମହାବଳ

ନୂଆପଡ଼ା ଅଫିସ,୨୦।୧: ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ଟାଣିନେଇ ଖାଇ ଦେଇଥିବା ଜଣାପଡ଼ିଛି। ମୃତକ ହେଲେ ଜଳମଡେଇ ଗ୍ରାମର ସାନମତି ବାରିକ(୬୫) ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ସାନମତି ଘର ପଛପଟ ବାରିକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। ସୋମବାର ଜଙ୍ଗଲରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବୃଦ୍ଧାଙ୍କୁ ମହାବଳ ବାଘ ଟାଣିନେଇ ଖାଇଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜଙ୍ଗଲରେ ଥିବା ମହାବଳ ବାଘ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି ବୋଲି ସୁନାବେଡ଼ା ବନ୍ୟାପ୍ରାଣୀ ବିଭାଗ ରେଞ୍ଜର ଶିବପ୍ରସାଦ ଖମାରୀ ସୂଚନା ଦେଇଛନ୍ତି। ଏପରିକି ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି।