‘ମଗଜି’ରେ ବାଜିପାରେ ମୋହର

ଢେଙ୍କାନାଳ ଅଫିସ, ୩୦।୧୧: ଢେଙ୍କାନାଳର ପାରମ୍ପରିକ ମିଷ୍ଟାନ୍ନ ମଗଜି ଲଡୁକୁ ମିଳିପାରେ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ମାନ୍ୟତା। ଏହାର ସ୍ବତନ୍ତ୍ରତାକୁ ଦୃଷ୍ଟିରେ ରଖି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆସନ୍ତା ଡିସେମ୍ବର ୬ରେ ଭୁବନେଶ୍ୱରରେ ଜିଆଇ ଅଥରିଟିଙ୍କ ଉପସ୍ଥିତିରେ ଏହାର ଶୁଣାଣି ହେବ। ସେଠାରେ ସବୁଜ ସଙ୍କେତ ମିଳିଲେ ମଗଜି ଲଡୁ ବିଧିବଦ୍ଧ ଭାବେ ମାନ୍ୟତା ହାସଲ କରିବ ବୋଲି ଜଣାପଡ଼ିଛି।
ଏହି ସ୍ବାଦିଷ୍ଟ ମିଠାର ପ୍ରସ୍ତୁତି ଶୈଳୀ ନିଆରା। ମଇଁଷି କ୍ଷୀରରୁ ପ୍ରସ୍ତୁତ ଛେନା, ଚିନି, ଗୁଜୁରାତି ଗୁଣ୍ଡ ସାଙ୍ଗକୁ ଜିଲାର ପୁରୁଖା ମିଠା କାରିଗରଙ୍କ ହାତର ଜାଦୁକରି ସ୍ପର୍ଶ ଏହାକୁ ସ୍ବତନ୍ତ୍ର କରିଛି। ମଗଜି ଲଡୁକୁ ଜିଆଇ ମାନ୍ୟତା ଦେବା ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ବିଧିବଦ୍ଧ ଭାବେ ଆବେଦନ କରାଯାଇଥିଲା। ଏହାକୁ ଗ୍ରହଣ କରିଥିଲେ ଜିଆଇ କର୍ତ୍ତୃପକ୍ଷ। ତେବେ ପରୀକ୍ଷା ନିରୀକ୍ଷା ପରେ ଏ ସମ୍ପର୍କିତ ଅଧିକ ତଥ୍ୟ ଲୋଡ଼ିଥିଲେ। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବା ପରେ ମଗଜି ଲଡୁ ଜିଆଇ ମାନ୍ୟତା ଆଡ଼କୁ ଆଉ ପାଦେ ଆଗେଇଛି। ପୁଷ୍ଟିକର ଗୁଣରେ ଭରପୂର ମଗଜି ନିଶ୍ଚିତ ଭାବେ ଜିଆଇ ମାନ୍ୟତା ପାଇବ ବୋଲି ଜିଲାର ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀଙ୍କ ସମେତ ମିଠା କାରିଗରମାନେ ଦୃଢ଼ ଆଶା ପୋଷଣ କରିଛନ୍ତି। ମଗଜି ଲଡୁକୁ ମାନ୍ୟତା ମିଳିଲେ ଢେଙ୍କାନାଳ ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିହେବ। ଦୁଗ୍ଧ ଚାଷୀ, ଗୋପାଳକ, ମିଠା କାରିଗର, ମିଠା ବ୍ୟବସାୟୀ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ମନ୍ଦାର, ଷଡ଼ଙ୍ଗୀ ଅଞ୍ଚଳରୁ ଏହି ମିଠାର ସୃଷ୍ଟି। ଭୁବନ, ମନ୍ଦାର, କାଶୀପୁର, ଷଡ଼ଙ୍ଗୀ, ଗଁଦିଆ, ବିଧାରପୁର, ଦେଓଗଁା ଏବଂ ଢେଙ୍କାନାଳ ସହରର ମିଠା ଦୋକାନରେ ମଗଜି ଲଡୁ ବିକ୍ରି ହେଉଥିବାବେଳେ ଏହାର ଚାହିଦା କାହିଁରେ କେତେ। ବଣପାହାଡ଼ ଘେରା ଗଁଦିଆ ବ୍ଲକର ଚାରଣ ଭୂମି ଗୋ-ମହିଷାଦି ପ୍ରାଣୀସମ୍ପଦ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ପୂର୍ବକାଳରେ ଏଠାରେ ବହୁସଂଖ୍ୟାରେ ମଇଷଁି ପାଳନ କରାଯାଉଥିବାବେଳେ ପ୍ରଚୁର ଦୁଗ୍ଧ ଉତ୍ପାଦନ ହେଉଥିଲା। ଏହି କ୍ଷୀରକୁ ପ୍ରକ୍ରିୟାକରଣ କରାଯାଇ ମଗଜି ଲଡୁ ପ୍ରସ୍ତୁତ ହୋଇଥିଲା। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଢେଙ୍କାନାଳର ମଗଜି ଲଡୁ ବହୁ ପୁରୁଣା ଏବଂ ସ୍ବତନ୍ତ୍ର ମିଠା ା ଏହା ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବାର ଆବଶ୍ୟକତା ରହିଛି। ଏଥିପାଇଁ ଉଦ୍ୟମ ଜାରି ରହିଛି।