ଦଳିତମାନଙ୍କ ଉପରେ ଆକ୍ରମଣ: ମୌଳିକ ସମସ୍ୟାର ସମାଧାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ…

ଛତ୍ରପୁର, ୨।୬ (ଦିଲ୍ଲୀପ ସାମଲ / ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୩% (ଦଳିତ ୧୯.୫% ଓ ଆଦିବାସୀ ୩.୫%) ହୋଇଥିଲେ ମଧ୍ୟ ସେମାନେ ସମସ୍ତ କ୍ଷେତ୍ରରେ ଅବହେଳିତ ହୋଇଆସୁଛନ୍ତି। ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ବିଭିନ୍ନ ସରକାରଙ୍କ ଶାସନକାଳରେ ଦଳିତ ଓ ଆଦିବାସୀଙ୍କ ଦାରିଦ୍ର୍ୟ ଓ ପଶ୍ଚାଦପଦତା ଅବ୍ୟାହତ ରହିଛି ବୋଲି ଅଭିଯୋଗ ହୋଇଛି।

ସରକାରଙ୍କ ଅବହେଳା ଓ ସମ୍ବେଦନଶୀଳତାର ଅଭାବରୁ ଜିଲ୍ଲାର ଅଧିକାଂଶ ଦଳିତ ଓ ଆଦିବାସୀ ପରିବାର ଆଜି ବି ଭୂମିହୀନ ଓ ଗୃହହୀନ ଅବସ୍ଥାରେ ରହିଛନ୍ତି। ବର୍ଷରୁ ବର୍ଷ ସରକାରୀ ଜମିରେ ବାସ ଓ ଚାଷ କରୁଥିଲେ ମଧ୍ୟ ସେମାନଙ୍କୁ ପଟ୍ଟା ଦିଆଯାଉନାହିଁ। ରାଜ୍ୟ ସରକାର ପକ୍ଷରୁ ସମସ୍ତ ଭୂମିହୀନଙ୍କୁ ୪ ଡେସିମିଲ୍ ଜମି ଦେବା ଘୋଷଣା ହୋଇଥିଲେ ମଧ୍ୟ ତାହା ଜିଲ୍ଲାରେ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ଉଠିଛି।

ଅନ୍ୟପଟେ, ଗାଁରେ ସରକାରୀ ଜମି ସବର୍ଣ୍ଣ ସମ୍ପ୍ରଦାୟର କିଛି ସମ୍ପନ୍ନ ଲୋକଙ୍କ ଦଖଳରେ ରହିଥିବାବେଳେ, ଗରିବ ଦଳିତମାନେ ଚାଷ କରୁଥିବା ଜମିରୁ ଉଚ୍ଛେଦ ହେଉଛନ୍ତି। ବେଲଗୁଣ୍ଠା ତହସିଲର ବଡ଼ ଦୋଡ଼ଙ୍ଗା ଅଞ୍ଚଳରେ ଏଭଳି ଘଟଣା ଦେଖାଯାଇଥିବା ଅଭିଯୋଗ ହୋଇଛି।

ଜଙ୍ଗଲ ଅଧିକାର ଆଇନ–୨୦୦୬ ରହିଥିଲେ ମଧ୍ୟ ଅଧିକାଂଶ ଆଦିବାସୀ ପରିବାର ଜଙ୍ଗଲ ଜମିର ଅଧିକାର ପାଇନାହାନ୍ତି। ଯାହା ଶିରୋନାମା ଦିଆଯାଇଛି । ସେଗୁଡ଼ିକୁ ମଧ୍ୟ ସଠିକ ଭାବେ ଚିହ୍ନଟ ନ କରିବାରୁ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ଆଦିବାସୀମାନେ ବନ ବିଭାଗର ଜୁଲୁମର ସମ୍ମୁଖୀନ ହେଉଛନ୍ତି। ସେହିପରି ଅନେକ ଆଦିବାସୀ ଗ୍ରାମ ରାସ୍ତା, ବିଦ୍ୟୁତ୍ ଓ ପାନୀୟ ଜଳ ପରି ମୌଳିକ ସୁବିଧାରୁ  ବଞ୍ଚିତ ଅଛନ୍ତି।

ଜିଲାରେ ଜାତିଆଣ ଭେଦଭାବ, ସାମାଜିକ ବାସନ୍ଦ ଓ ଜାତିଗତ ହିଂସା ଏବେ ବି ଚାଲୁଥିବା ଅଭିଯୋଗ ହୋଇଛି। ଦଳିତମାନଙ୍କୁ ବିଭିନ୍ନ ସ୍ଥାନକୁ ଯିବାରେ ବାଧା ଦିଆଯାଉଛି। କେତେକ ସ୍ଥାନରେ ହୋଟେଲରେ ଅଲଗା ଗିଲାସ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଅଭିଯୋଗ ଆସିଛି।ଗତ ୨୬ ତାରିଖରେ ସୋରଡ଼ା ଥାନା ଅଧୀନ ବଡ଼ ବଦାଙ୍ଗୀରେ ଏକ ବିବାହ ଶୋଭାଯାତ୍ରା ସମୟରେ ଦଳିତମାନଙ୍କ ଉପରେ ଆକ୍ରମଣ ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଗିରଫ ହୋଇନଥିବା କଥା ମଧ୍ୟ ଉଠାଯାଇଛି।

ଏହି ପରିପ୍ରେକ୍ଷିତରେ ଜମି, ଜଙ୍ଗଲ ଅଧିକାର, ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ପରି ମୌଳିକ ସୁବିଧା ଦାବିରେ ଏଆଇକେଏମଏସ୍‌, ଓଡିଶା ଦଳିତ ମହାସଭା ଓ ଅଲ୍ ଇଣ୍ଡିଆ ଟ୍ରାଇବଲ ଫୋରମ୍‌ର ଆହ୍ୱାନରେ ହଜାର ହଜାର ଦଳିତ ଓ ଆଦିବାସୀ ଲୋକ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସେମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ୍‌ର ଜାତୀୟ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଓଡିଶା ଦଳିତ ମହାସଭାର ଜିଲା ସମ୍ପାଦକ ସଂଗ୍ରାମ ନାୟକ, ଜିଲା ଉପସଭାପତି ଲଡୁ କିଶୋର ଡାକୁଆ, ଅଲ୍ ଇଣ୍ଡିଆ ଟ୍ରାଇବଲ ଫୋରମ୍‌ର ଆବାହକ ଯକ୍ଷ ଗମାଙ୍ଗ, ସୀମାଞ୍ଚଳ ନାହାକ, ମିଥୁନ ପରିଛା, ଶୁକୁ ଗମାଙ୍ଗ, କୁଶ ନାଥ ପ୍ରଧାନ, କାଳୀଚରଣ ନାୟକ ଓ ଗାଧୁ ମୌଳିକ ସହ ଅନ୍ୟାନ୍ୟ ନେତା ଓ ହଜାର ହଜାର ଲୋକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share