ଆଜି ଚନ୍ଦ୍ରଭାଗାରେ ମାଘମେଳା

କୋଣାର୍କ, ୧୯ା୨(ଡି.ଏନ.ଏ):ଚନ୍ଦ୍ରଭାଗାରେ ଏଥର କୋଭିଡ୍‌ କଟକଣାରେ ମାଘମେଳା ହେବ। ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ ପ୍ରଶାସନ କଟକଣା ଜାରି କରିଥିବାବେଳେ କେବଳ ୫୦୦ ଜଣଙ୍କୁ ନୀତି ଓ ମେଳା କାର୍ଯ୍ୟ ପାଇଁ ଅନୁମତି ମିଳିଛି। ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି। ଫଳରେ ଏହି ସ୍ଥାନ ଶୂନଶାନ ହୋଇପଡ଼ିିଛି। ତେବେ ମାଘବୁଡ଼ ଅବସରରେ ଦୁଇଦିନ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଗୁରୁବାର ପୁରୀ ଏସ୍‌ପି କେ. ବିଶାଲ ସିଂ ଚନ୍ଦ୍ରଭାଗାରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଏସ୍‌ପି କହିଛନ୍ତି, ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚାରିପଟେ ବ୍ୟାରିକେଡ୍‌ ହୋଇଛି। ଆଇନଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମେଳାପଡ଼ିିଆ, ବେଳାଭୂମି, ମେରାଇନ ଡ୍ରାଇଭ ଓ କୋଣାର୍କ ସହରରେ ମୋଟ ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଜଣେ ଅତିରିକ୍ତ ଏସ୍‌ପି, ୫ ଡିଏସ୍‌ପି, ୧୮ ଆଇଆଇସି, ୮୦ ଏସ୍‌ଆଇ ଏବଂ ଏଏସ୍‌ଆଇ, ୧୫୦ ଜଣ ହୋମଗାର୍ଡ ମୁତୟନ ରହିଛନ୍ତି। ଶୁକ୍ରବାର ଭୋର ୪ଟାରେ ଚନ୍ଦ୍ରଭାଗା ତୀଥର୍ର୍ ପୁଷ୍କରିଣୀରେ ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ଶ୍ରୀଶ୍ରୀ ଦକ୍ଷିଣେଶ୍ୱର, ଶ୍ରୀଶ୍ରୀ ଇଶାଣେଶ୍ୱରଙ୍କ ଚଳନ୍ତି ପ୍ରତିମା ସ୍ନାନ ପରେ ସେବାୟତ ଓ ସାଧୁସନ୍ଥ ବୁଡ଼ ପକାଇବେ। ତେବେ ଏଠାରେ ୧୪୪ ଧାରା ଜାରି ସହ ଅନ୍ୟମାନଙ୍କୁ ବୁଡ଼ ପକାଇବା ଲାଗି ବାରଣ କରାଯାଇଛି। ଗୁରୁବାର ପୂର୍ବାହ୍ନ ୧୧ଟାରୁ ଶୁକ୍ରବାର ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ଚନ୍ଦ୍ରଭାଗା ନିକଟକୁ କୌଣସି ଯାନବାହନ ଛଡ଼ାଯିବ ନାହଁି। କଡ଼ା ସୁରକ୍ଷା ମଧ୍ୟରେ ତିନିଠାକୁରଙ୍କ ଶୋଭାଯାତ୍ରା ହେବ। ଜନସାଧାରଣ ଏହାକୁ ସହଯୋଗ କରିବେ ବୋଲି ଏସ୍‌ପି ଆଶା ପ୍ରକାଶ କରିଛନ୍ତି।