ମୋହନା,୧୧ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ ପିକଅପ୍ ଗାଡ଼ିରୁ ୪୨ ଖଣ୍ଡ ଚୋରା ଶାଗୁଆନ କାଠ ଜବତ ହୋଇଥିବା ବେଳେ ବନ ବିଭାଗର ଚଢ଼ାଉ ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚୋରା ଚାଲାଣକାରୀ ଫେରାର ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ରାତ୍ରି ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ନାରଙ୍ଗୀ ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଏକ ପିକଅପ୍କୁ ବନ ବିଭାଗର ଟିମ୍ ଅଟକାଇଥିଲା। ଗାଡ଼ି ଅଟକିବା ମାତ୍ରେ ଏଥିରେ ଥିବା ଡ୍ରାଇଭରଙ୍କ ସମେତ କିଛି ଯୁବକ ଗାଡ଼ି ଛାଡ଼ି ନିକଟସ୍ଥ ଜଙ୍ଗଲକୁ ଫେରାର ହୋଇଯାଇଥିଲେ।
ପରେ ଗାଡ଼ିଟିକୁ ଯାଞ୍ଚ କରିବାରୁ ସେଥିରୁ ବେଆଇନ ଭାବେ ଚାଲାଣ ହେଉଥିବା ୪୨ ଖଣ୍ଡ ଶାଗୁଆନ କାଠ ଜବତ ହୋଇଥିଲା। ଜବତ କାଠର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବନଖଣ୍ଡ ଅଧିକାରୀ କେ. ନାଗରାଜୁଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଚନ୍ଦ୍ରଗିରି ଫରେଷ୍ଟର ଗଣେଶ ପ୍ରଧାନ, ବନରକ୍ଷୀ ସୂର୍ଯ୍ୟକାନ୍ତ ବାରିକ ଓ ୟୁ. ସୂର୍ଯ୍ୟପ୍ରକାଶଙ୍କ ମିଳିତ ଟିମ୍ ଏହି ଚଢ଼ାଉ କରିଥିଲେ। ବନ ବିଭାଗ ପକ୍ଷରୁ ଶାଗୁଆନ କାଠ ସହ ମ୍ୟାକ୍ସ ପିକଅପ (ଓଡି-୦୭ ଏମ୍-୧୩୬୨)କୁ ଜବତ କରାଯାଇଛି। ଏହି ଚୋରା ଚାଲାଣ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।