ମଧୁସୂଦନଙ୍କ ଜନ୍ମପୀଠ, ସଂଗ୍ରହାଳୟ ବିକାଶ ଉପରେ ଗୁରୁତ୍ୱାରୋପ

ସାଲେପୁର,୨।୪(ଡି. ଏନ.ଏ.): ଓଡ଼ିଶା ଦିବସ ଅବସରରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଶନିବାର କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁରରେ ପହଞ୍ଚତ୍ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି। ଏହି ଅବସରରେ ପୀଠ ଓ ସଂଗ୍ରହାଳୟର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ପ୍ରଥମେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ପୀଠ ବୁଲିବା ସହ ମ୍ୟାପ୍‌ ମାଧ୍ୟମରେ ଏହାର ଅବସ୍ଥିତି ଓ ଇତିହାସ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ପୀଠ ପରିସରରେ ଥିବା ସଂଗ୍ରହାଳୟ ବୁଲି ଏଠାରେ ରଖାଯାଇଥିବା ସ୍ମୃତି ସମ୍ପର୍କରେ ପଚାରି ବୁଝିଥିଲେ। ଏଠାରେ ଥିବା ସ୍ମୃତିଫଳକକୁ ଓଡ଼ିଆ ସମେତ ଅନ୍ୟ ଭାଷାରେ ଲେଖିବାକୁ ସେ ପରାମର୍ଶ ଦେଇଛନ୍ତି। ପରେ ପୀଠ ପରିସରରେ ଥିବା ଗାନ୍ଧିଜୀଙ୍କ ଅବସ୍ଥାନ ପୀଠ ଦର୍ଶନ କରିଥିଲେ। ଏହାପରେ ୫-ଟି ସଚିବ ମଧୁବାବୁଙ୍କ ଅନ୍ତୁଡ଼ିଶାଳରେ ପହଞ୍ଚତ୍ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଠାରେ ରଖାଯାଇଥିବା ବିରଳ ଫଟୋ ଓ ହସ୍ତଲିପି ସମ୍ପର୍କରେ ଉପସ୍ଥିତ ଟ୍ରଷ୍ଟ କର୍ମକର୍ତ୍ତାଙ୍କଠାରୁ ସବିଶେଷ ପଚାରି ବୁଝିଥିଲେ। ମିଶନ ଶକ୍ତି ସଭାନେତ୍ରୀ ତୃପ୍ତିରେଖା ପରିଡା ଓ ଉପସ୍ଥିତ ସଦସ୍ୟାମାନଙ୍କ ସହ ପୀଠ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ମଧୁସ୍ମୃତି ପୀଠରେ ମଧୁବାବୁଙ୍କ ଜୀବନୀକୁ ନେଇ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ପୀଠର ଉନ୍ନତୀକରଣ ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ କହିଥିଲେ। ଏହି ଅବସରରେ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୨ ପ୍ରସ୍ତାବ ସମ୍ବଳିତ ଏକ ପତ୍ର ପ୍ରଦାନ କରାଯାଇଥିଲା। ଏହି ପରିଦର୍ଶନ ସମୟରେ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମ୍ବର କର ଓ ଡିସିପି ପିନାକ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।