ଓଏଏସ୍‌ ପାଇଲେ ମଧୁସ୍ମିତା, ୨୦୧୮ରେ ବଡ ଭଉଣୀ ବି ପାଇଥିଲେ

ଦେବଗଡ,୩୧ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ପୁରୁଣାଗଡ଼ର ମଧୁସ୍ମିତା ସାମଲ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୪ ନମ୍ବର ର଼୍ୟାଙ୍କ ରଖି ସେ ଜିଲା ପାଇଁ ସଫଳତା ଆଣିଛନ୍ତି।

ପୋଲିସ ଏଏସ୍‌ଆଇ ଭବାନୀ ଶଙ୍କର ସାମଲ ଏବଂ ମୋହିନୀପୁର ସରକାରୀ ଉ.ପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଶକୁନ୍ତଳା ପ୍ରଧାନଙ୍କ ସାନ ଝିଅ ମଧୁସ୍ମିତା କଠିନ ପରିଶ୍ରମ, ଶିକ୍ଷକ ତଥା ମାତା ପିତା, ଗୁରୁଜନଙ୍କ ଆଶୀର୍ବାଦ ଯୋଗୁ ଏହି ସଫଳତା ପାଇଥିବା କହିଛନ୍ତି। ଦେବଗଡ଼ ସରସ୍ବତୀ ବିଦ୍ୟା ମନ୍ଦିରରେ ପ୍ରଥମରୁ ଅଷ୍ଟମ ଯାଏ ଶିକ୍ଷା ଲାଭ କରିଥିଲେ ମଧୁସ୍ମିତା। ଏହାପରେ ଦେବଗଡ ଜବାହର ନବୋଦୟ ବିଦ୍ୟାଳୟରେ ୯ମ ଓ ୧୦ମ ପଢିଥିଲେ। ବରଗଡ଼ ବିକାଶରେ ଯୁକ୍ତ ୨, ଭିଏସଏସୟୁଟି ବୁର୍ଲାରେ ସିଭିଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ପ୍ରଥମ ପ୍ରୟାସରେ ହିଁ ସେ ଓଏଏସ୍‌ ପାଇଛନ୍ତି। ଆଗକୁ ଆଇଏଏସ ହେବା ପାଇଁ ତାଙ୍କର ଲକ୍ଷ୍ୟ ରହିଛି ବୋଲି ମଧୁସ୍ମିତା କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୮ରେ ମଧୁସ୍ମିତାଙ୍କ ବଡ ଭଉଣୀ ଲୋପାମୁଦ୍ରା ସାମଲ ମଧ୍ୟ ୩୨ ନମ୍ବର ର଼୍ୟାଙ୍କ ରଖି ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।