ଭବାନୀପାଟଣା,୨୫।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତର ନୂତନ ଭାରପ୍ରାପ୍ତ ସରପଞ୍ଚ ଭାବେ ମଧୁପ୍ରିୟା ପଣ୍ଡା ନିଯୁକ୍ତ ହୋଇଛନ୍ତି। ଭବାନୀପାଟଣା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ପତ୍ର ସଂଖ୍ୟା ୧୫୬୩୧ ଅନୁସାରେ ତାଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ସରପଞ୍ଚ ଦାୟିତ୍ବରେ ଥିବା ମୀରା କୁମାରଙ୍କୁ ଅନାସ୍ଥା ପ୍ରସ୍ତାବ ପରେ ଗତ ଜାନୁୟାରୀ ୧୬ ତାରିଖରେ କଳାହାଣ୍ଡି ଜିଲାପାଳଙ୍କ ଆଦେଶ କ୍ରମେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଯାହାଫଳରେ ସେତେବେଳେଠୁ ଏହି ପଞ୍ଚାୟତର ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ତେବେ ଗ୍ରାମପଞ୍ଚାୟତ ଆଇନ, ୧୯୬୪ ର ଧାରା ୨୧ (୪) ଅନୁଯାୟୀ ଉପଜିଲାପାଳ ଉତ୍କେଲା ୪ ନଂ ୱାର୍ଡ ସଦସ୍ୟା ମଧୁପ୍ରିୟା ପଣ୍ଡାଙ୍କୁ ସରପଞ୍ଚ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ଏହି ପଞ୍ଚାୟତରେ ନିୟମିତ ସରପଞ୍ଚ ନିଯୁକ୍ତି କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ ସରପଞ୍ଚଙ୍କ ସମସ୍ତ କାର୍ଯ୍ୟ ଓ କ୍ଷମତା ପ୍ରୟୋଗ କରିବେ ବୋଲି ଆଦେଶରେ ଉଲ୍ଲେଖ କରିଛନ୍ତି।

