ଲାଞ୍ଜିଗଡ଼ରେ ମଧୁବାବୁ ପେନ୍‌ସନ୍ ଯୋଜନା: ୪ଟି ପଞ୍ଚାୟତର ୧୬୯ ନୂତନ ହିତାଧିକାରୀଙ୍କୁ ମିଳିଲା ଦୁଇ ମାସର ଭତ୍ତା

ଲାଞ୍ଜିଗଡ଼,୧୩/୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ଦିନ ଏକୀକୃତ ପେନ୍‌ସନ୍ ପରିଚାଳନା (UPMP) ପୋର୍ଟାଲ ଜରିଆରେ ବ୍ଲକସ୍ତରୀୟ ମଧୁବାବୁ ପେନ୍‌ସନ୍ ଯୋଜନାର ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମାରୋହରେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଂଜୀବ ନାଏକ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ସମାଜସେବୀ ତୁଳସୀ ମାଝୀ ଓ ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଲାଞ୍ଜିଗଡ଼ ବ୍ଲକର ମୋଟ ୮୪୦ ଜଣ ଯୋଗ୍ୟ ହିତାଧିକାରୀ ଚୟନ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବିଶ୍ୱନାଥପୁର, ପୋଖରୀବନ୍ଧ, ଚମ୍ପାଦେଇପୁର ଏବଂ ଛତ୍ରପୁର ପଞ୍ଚାୟତର ୧୬୯ ଜଣ ନୂତନ ହିତାଧିକାରୀଙ୍କୁ ଅକ୍ଟୋବର ଓ ନଭେମ୍ବର ଦୁଇ ମାସର ବକେୟା ଭତ୍ତା ବଣ୍ଟନ କରାଯାଇଥିଲା।

ଗତ ନଭେମ୍ବର ୧୧ ତାରିଖରେ ବାଲେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା, ଯାହା ଅଧୀନରେ ରାଜ୍ୟର ୪,୦୪,୮୧୨ ଜଣ ନୂତନ ହିତାଧିକାରୀଙ୍କୁ ଅକ୍ଟୋବର ମାସରୁ ଭତ୍ତା ଦେବାକୁ ନିଷ୍ପତ୍ତି ନିଆଯାଇଛି। ବ୍ଲକ୍ ପ୍ରଶାସନର ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକର ଅବଶିଷ୍ଟ ଚୟନିତ ହିତାଧିକାରୀମାନଙ୍କୁ ଆସନ୍ତା ନଭେମ୍ବର ୨୫ ତାରିଖ ମଧ୍ୟରେ ନିଜ ନିଜ ଗ୍ରାମ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମରେ ଭତ୍ତା ପ୍ରଦାନ କରାଯିବ। ଦୀର୍ଘ ଦିନର ଅପେକ୍ଷା ପରେ ଭତ୍ତା ପାଇ ହିତାଧିକାରୀମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।

ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ଓ ଖବରଦାତା ଗୋପାଳଦାସ ମହାନନ୍ଦ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ଚମ୍ପାଦେଇପୁର ନାଏବ ସରପଞ୍ଚ ଭାନୁମତି ଦୋରା, ଭଟାଙ୍ଗପଦର ସମିତି ସଦସ୍ୟ ରୂପେନ୍ଦ୍ର ଛତ୍ରିଆଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୀତବାସ ସାହୁ, କୁଳମଣି ବେହେରା ଓ ମିଥୁନ ମହାଖୁଡ଼ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share