ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ଅବସରରେ ଓଡ଼ିଶା ପ୍ରାନ୍ତରେ ଭିଏଚ୍ପିର ସଂଗଠନ ଓ ସେବା କାର୍ଯ୍ୟରେ ଦୀର୍ଘଦିନର ଅବଦାନ ପାଇଁ ସୁଆମ ଶାସନର ମଦନମୋହନ ଦ୍ୱିବେଦୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ମଦନମୋହନ ଦ୍ୱିବେଦୀଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବଡ଼ପାଟଣା ପଞ୍ଚାୟତର ସୁଆମ ଶାସନରେ। ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ନିଷ୍ଠାପର ହିନ୍ଦୁ ସଂଗଠକ ଭାବେ ତାଙ୍କର ବେଶ୍ ସୁଖ୍ୟାତି ଓ ଆଦର ରହିଛି।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ଭିଏଚ୍ପିର ଅନ୍ତର୍ଜାତୀୟ ସାଧାରଣ ସମ୍ପାଦକ ବଜରଙ୍ଗ ଲାଲ ବାଗଡା, ସମ୍ମାନିତ ଅତିଥି ଭାବେ ଭିଏଚ୍ପି କେନ୍ଦ୍ରୀୟ ମନ୍ତ୍ରୀ ବସନ୍ତ କୁମାର ରଥ ଓ ଗୌରୀ ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପୂର୍ବପ୍ରାନ୍ତର ସାଧାରଣ ସମ୍ପାଦକ ମହେଶ କୁମାର ସାହୁ କରିଥିଲେ।