ଛତ୍ରପୁର,୨୭।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଏବେ ସାରା ସହର ଉଠୁଛି ପଡୁଛି। ମା’ଙ୍କ ଆଗମନରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି। ବୁଧବାର ଏହି ଭବ୍ୟ ଯାତ୍ରାର ୨୪ତମ ଦିନ ଅବସରରେ ଯାତ୍ରା କମିଟି ମ୍ୟାନେଜର ସିଏଚ୍. ଦୟାନନ୍ଦ ରେଡ୍ଡୀଙ୍କ ବାସଭବନକୁ ମା’ ବିଜେ କରିଥିଲେ। ସେଠାରେ ସେ ମା’ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଭୋଗ ଲାଗି କରିଥିଲେ। ଏହାପରେ ଏକ ବିରାଟ ଓ ଭବ୍ୟ ପଟୁଆରରେ ମା’ଙ୍କ ଘଟ ଅସ୍ଥାୟୀ ମଣ୍ଡପରୁ ବାହାରି ସାରା ନଗର ପରିକ୍ରମା କରିଥିଲା।
ମା’ ରାମାୟାଣାମ୍ମାଙ୍କର ଏହି ପାରମ୍ପରିକ ଯାତ୍ରା ଗତ ମେ’ ମାସ ୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁନ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମା’ଙ୍କର ଏହି ମାସାଧିକ କାଳ ଚାଲିବାକୁ ଥିବା ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।
ମା’ଙ୍କ ଯାତ୍ରା ଅବସରରେ ଛତ୍ରପୁର ଅନସ୍ଲୋ ଖେଳ ପଡ଼ିଆଠାରେ ଏକ ଭବ୍ୟ ମିନା ବଜାର ଓ ରାମଦୋଳିର ଆୟୋଜନ କରାଯାଇଛି, ଯେଉଁଠାରେ ପ୍ରତିଦିନ ସହର ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ପହଞ୍ଚି ଏହାର ଭରପୂର ମଜା ଉଠାଉଛନ୍ତି। ଯାତ୍ରା ପାଇଁ ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥ ଏବଂ ପ୍ରମୁଖ ଛକଗୁଡ଼ିକୁ ଆକର୍ଷଣୀୟ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି, ଯାହା ରାତିର ଶୋଭାକୁ ଦ୍ୱିଗୁଣିତ କରୁଛି। ଯାତ୍ରା ସମୟରେ ଆଇନ ଶୃଙ୍ଖଳା ରକ୍ଷା ଏବଂ ଶ୍ରଦ୍ଧାଳୁଙ୍କ ଶାନ୍ତିଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ ରହିଛନ୍ତି।
ଯାତ୍ରାର ଶେଷ ପର୍ଯ୍ୟାୟକୁ ଆହୁରି ଅଧିକ ଆକର୍ଷଣୀୟ ଓ ଉତ୍ସାହଜନକ କରିବା ପାଇଁ ଆସନ୍ତା ଜୁନ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ‘ଛତ୍ରପୁର ମହୋତ୍ସବ’ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହୋତ୍ସବ ଚଳିତ ବର୍ଷର ଠାକୁରାଣୀ ଯାତ୍ରାରେ ଏକ ସ୍ବତନ୍ତ୍ର ଚମକ ଆଣିଦେବ ବୋଲି ଆଶା କରାଯାଉଛି।
Dharitri – Odisha’s No.1 Odia Daily