୨୯ ଦିନରେ ପହଞ୍ଚିଲା ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ପଟୁଆରରେ ସହର ପରିକ୍ରମା କଲେ ମା‘

ଛତ୍ରପୁର, ୧।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟା ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୋମବାର ଯାତ୍ରାର ୨୯ତମ ଦିନ ଅବସରରେ ଗଞ୍ଜାମ ଜିଲା କଂଗ୍ରେସ (ପୂର୍ବ) କମିଟି ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚନା ଅନୁଷ୍ଠିତ ହୋଇଥିଲା ଏବଂ ମାଙ୍କୁ ଭୋଗ ଅର୍ପଣ କରାଯାଇଥିଲା।

ରୀତିନୀତି ଅନୁଯାୟୀ  ପଟ୍ଟନାୟକ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ପୂଜା କରିବା ସହ ମାଙ୍କୁ ନିମନ୍ତ୍ରଣ କରିଥିଲେ। ପରେ ବିରାଟ ପଟୁଆରରେ ମାଙ୍କ ଘଟ ଅସ୍ଥାୟୀ ମଣ୍ଡପରୁ ବାହାରି ସହର ପରିକ୍ରମା କରିଥିଲା।

ଏହି ଶୋଭାଯାତ୍ରାରେ ଆନ୍ଧ୍ର କାଳୀ, ଖଡ଼ଗପୁର କାଳୀ ସହ ରାଜ୍ୟ ଓ ରାଜ୍ୟବାହାରର ପ୍ରାୟ ୨୫ଟି କଳା ଦଳ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଲୋକନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନୀ ଯାତ୍ରାକୁ ଆକର୍ଷଣୀୟ କରିଥିଲା।

ମଧ୍ୟାହ୍ନ ସମୟରେ ପଟ୍ଟନାୟକଙ୍କ ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ଅସ୍ଥାୟୀ ମଣ୍ଡପରେ ମାଙ୍କ ଆଳତି ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଦେଖାଯାଇଥିଲା।

ଏହି ଅବସରରେ ପଟ୍ଟନାୟକଙ୍କ ସହ ଜିଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ଛତ୍ରପୁର ପୌରପରିଷଦ ସଭାପତି କାଳିଆ ରାଉଳ ଓ ଯାତ୍ରା କମିଟିର ମ୍ୟାନେଜର ସି.ଏଚ. ଦୟାନନ୍ଦ ରେଡ୍ଡୀ ଉପସ୍ଥିତ ଥିଲେ।

ମାଙ୍କ ଯାତ୍ରା ଅବସରରେ ଛତ୍ରପୁର ଅନସ୍ଲୋ ଖେଳ ପଡ଼ିଆରେ ରାମଦୋଳି ଓ ମିନା ବଜାର ଖୋଲାଯାଇଥିବା ବେଳେ ଲୋକମାନେ ଏହାର ଆନନ୍ଦ ଉଠାଉଥିବା ଦେଖାଯାଇଛି। ସହରର ସମସ୍ତ ପ୍ରବେଶ ପଥକୁ ଆଲୋକମାଳାରେ ସଜାଯାଇଥିବାରୁ ପରିବେଶ ଆକର୍ଷଣୀୟ ହୋଇଉଠିଛି।

ଆଇନ-ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ମୁତୟନ କରାଯାଇଛି। ଏହାସହ ଆଜିଠାରୁ ଛତ୍ରପୁର ମହୋତ୍ସବ ଆରମ୍ଭ ହୋଇଥିବାରୁ ଯାତ୍ରାର ଆକର୍ଷଣ ଆହୁରି ବୃଦ୍ଧି ପାଇଛି।

Dharitri – Odisha’s No.1 Odia Daily

Share