ଲକ୍ଷାଧିକ ଭକ୍ତଙ୍କ ଗହଣରେ ପାଳିତ ହେଲା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା,୨୨।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ରବିବାର ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପାଳିତ ହୋଇଯାଇଛି।

ରବିବାର ଭୋରରେ ଜେନାଖାଲରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଗୁପ୍ତ ପୂଜା ସମ୍ପନ୍ନ ହୋଇଥିଲା। ପରେ ପୂଜକ ଏବଂ ବାହୁକମାନେ ମା’ଙ୍କ ବିଜୟ ପ୍ରତିମା ଛତରକୁ ଧରି ମନ୍ଦିର ଅଭିମୁଖେ ବାହାରିଥିଲେ। ଏହି ଅବସରରେ ଜେନାଖାଲରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ୩ କି.ମି. ରାସ୍ତାରେ ଲକ୍ଷାଧିକ ଭକ୍ତ ଉପସ୍ଥିତ ରହି ମା’ଙ୍କ ଦର୍ଶନ କରିଥିଲେ। ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଥିଲେ। ସେହିପରି ଆଉ କିଛି ଭକ୍ତ ଧୂପ, ଦୀପ, ନଡ଼ିଆ ଭାଙ୍ଗି ମା’ଙ୍କୁ ସ୍ବାଗତ କରିଥିଲେ। ମା’ଙ୍କ ଛତର ଯାତ୍ରାରେ ୩୦ରୁ ଅଧିକ ସାଂସ୍କୃତିକ ଦଳ, ଘଣ୍ଟ ଦଳ, ଘୁମୁରା ଦଳ ଉପସ୍ଥିତ ରହି ନିଜ କଳା ପରିବେଷଣ କରିଥିଲେ। ମଧ୍ୟାହ୍ନ ୧୨ଟା ୧୦ରେ ମା’ଙ୍କ ଛତର ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚି ଥିଲ।

ଏହି ସମୟରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ମା’ଙ୍କ ଛତରକୁ ମନ୍ଦିରକୁ ପାଛୋଟି ନେଇଥିଲେ। ଛତର ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ ଜିଲା ପୋଲିସ ପକ୍ଷରୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏପରିକି ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା।