ଶୟନମୁଦ୍ରାରେ ମା’ କଟକଚଣ୍ଡୀ

କଟକ ଅଫିସ,୨୬ା୮: ମା’ଙ୍କ ପାଇଁ ଆସିଛି ନୂତନ ଗଦି, ତକିଆ ଓ ଶଯ୍ୟା ଉପକରଣ। ଏବେ ଗୋଟିଏ ପକ୍ଷ ଅର୍ଥାତ୍‌ ୧୫ଦିନ ଯାଏ ଶୟନମୁଦ୍ରାରେ ରହିବେ କଟକର ଆରାଧ୍ୟା ମା’ କଟକଚଣ୍ଡୀ। ପୀଠରେ ମଙ୍ଗଳବାର ଶୟନଉତ୍ସବ ପାଳନ ହେବା ସହ ସ୍ବତନ୍ତ୍ର ଉପଚାର କରାଯାଇଛି। ଆସନ୍ତା ମୂଳାଷ୍ଟମୀ ତିଥିରେ ମା’ଙ୍କୁ ଶୟନରୁ ଜାଗ୍ରତ କରାଯିବା ସହ ଧରାପୃଷ୍ଠକୁ ଆବାହନ କରାଯିବ ବୋଲି ପୂଜକ ମନୋଜ ପଣ୍ଡା କହିଛନ୍ତି।
ଆଗକୁ ପାର୍ବଣ। ପାର୍ବଣରେ ସବୁରି କେନ୍ଦ୍ରବିନ୍ଦୁ ପାଲଟନ୍ତି ମା’ କଟକଚଣ୍ଡୀ। ମା’ଙ୍କ ଷୋଡ଼ଶ ଉପଚାର ପୂଜାଠାରୁ ଆରମ୍ଭ କରି ବିଭିନ୍ନ ବେଶ ଦର୍ଶନ କରିବାକୁ ରାଜ୍ୟ ତଥା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ମଙ୍ଗଳବାର ରାଧାଷ୍ଟମୀ ତିଥିରେ ମା’ଙ୍କ ଶୟନ ଉତ୍ସବ ସମ୍ପନ୍ନ ହୋଇଛି। ଏବେ ଗୋଟିଏ ପକ୍ଷ ପର୍ଯ୍ୟନ୍ତ ମା’ ଶୟନମୁଦ୍ରାରେ ରହିବେ। ୭ ଦିନ ପରେ ମା’ଙ୍କ ପାର୍ଶ୍ୱ ପରିବର୍ତ୍ତନ କରାଯିବ। ମା’ଙ୍କୁ ଜାଗ୍ରତ କରିବା ପାଇଁ ମୂଳାଷ୍ଟମୀ ତିଥି ସକାଳେ ସହସ୍ର କୁମ୍ଭରେ ଅଭିଷେକ କରାଯିବ। ଏହି ଦିନ ଅପରାହ୍ନରେ ଗଡ଼ଗଡ଼ିଆ ଘାଟରୁ ଆସିବ ଘଟ। ସଂସ୍କୃତରେ ଏକ ଶ୍ଳୋକ ରହିଛି, ‘ମୂଳାୟାମ ଆବାହ୍ୟାମୀ, ଶ୍ରବଣାମ ସମର୍ପୟାମୀ।’ ଅର୍ଥାତ୍‌ ମୂଳାଷ୍ଟମୀ ତିଥି ଦିନ ହିଁ ମା’ଙ୍କୁ ଧରାପୃଷ୍ଠକୁ ଆବାହନ କରାଯାଏ ଓ ଏହିଦିନ ରାତିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୁଏ। ମାତ୍ର ଚଳିତବର୍ଷ ମଳମାସ ପଡୁଛି। ଫଳରେ ଗୋଟିଏ ମାସ ପରେ ଆରମ୍ଭ ହେବ ନବରାତ୍ର। ଏଣୁ ମୂଳାଷ୍ଟମୀ ଦିନଠାରୁ ୪୭ ଦିନ ଧରି ଚଳିତବର୍ଷ ମା’ଙ୍କ ଦଶହରା ପୂଜା କରାଯିବ ବୋଲି ପୂଜକମାନେ କହିଛନ୍ତି। ପ୍ରତ୍ୟେକ ଦିନ ମା’ ସୁନାବେଶରେ ଦର୍ଶନ ଦେବେ। ମଳମାସ ଅତିକ୍ରାନ୍ତ ହେଲେ ରୀତିନୀତି ଅନୁଯାୟୀ ମା’ଙ୍କ ବିଭିନ୍ନ ବେଶ ହେବ। ଷୋଡ଼ଶ ଉପଚାର ସମୟରେ ସବୁଠାରୁ ଅଧିକ ଭିଡ଼ ହୁଏ। କିନ୍ତୁ କରୋନା କଟକଣା ଯୋଗୁ ଚଳିତବର୍ଷ ମା’ଙ୍କ ଦର୍ଶନ ବ୍ୟବସ୍ଥା ନେଇ ମନ୍ଦିରର ଟ୍ରଷ୍ଟି ଓ ପୂଜକ ଦୋଛକିରେ ରହିଛନ୍ତି।