ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ,୧୭ା୧୧(ରବିନାରାୟଣ ଖିଲାର/ସନାତନ ରାଉତ): ସପ୍ତମାତୃକା ବେଶର ଷଷ୍ଠ ଦିନରେ ଶୁକ୍ରବାର ମା’ ଭଦ୍ରକାଳୀ ମହାସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାସରସ୍ବତୀ ବେଶରେ ମା’ଙ୍କ ମୁଖମଣ୍ଡଳ ଶ୍ୱେତବର୍ଣ୍ଣ ଥିବା ବେଳେ ହଂସ ଥିଲା ମା’ଙ୍କ ବାହନ। ଶ୍ୱେତବସ୍ତ୍ର ପରିଧାନ କରି ମା’ ପଦ୍ମ ଆସନରେ ଆସୀନ ହୋଇଥିଲେ। ବୀଣା ବାଦନରତା ଥିବା ବେଳେ ମା’ଙ୍କ ହସ୍ତରେ ବେଦ, ଜପାମାଳି ରହିଥିଲା। ଏହି ବେଶରେ ମା’ଙ୍କୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି, ଜ୍ଞାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସପ୍ତମାତୃକା ବେଶର ଶନିବାର ଶେଷ ଦିବସ। ଏହି ଦିବସରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ। ସେହିପରି ବିଶ୍ୱଶାନ୍ତି ମହାଯଜ୍ଞର ଶନିବାର ମଧ୍ୟ ଅନ୍ତିମ ଦିବସ। ସପ୍ତ ଦିବସ ବ୍ୟାପୀ ଚାଲିଥିବା ମହାଯଜ୍ଞ, ଚଣ୍ଡୀ ପାଠ, ଗୀତା ପାଠ ଆଦି ସମାପ୍ତି ଘଟିବ। ମହାଯଜ୍ଞର ପୂର୍ଣ୍ଣାହୂତି ସହିତ ୨୦ ହଜାର ଭକ୍ତଙ୍କ ଲାଗି ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଛି। ଏଥି ନିମନ୍ତେ ସମସ୍ତ ପ୍ରକାରର ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।