କମ୍ପ୍ୟୁଟରରେ ମିଥ୍ୟା

ବିଶ୍ୱର କେତେକ ଭାଗରେ ପୋଲିସବାହିନୀ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରିବା ସକାଶେ ହ୍ୟାକିଂ ଉପକରଣ ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ରାଜନୈତିକ ବିରୋଧୀଙ୍କ ଅନ୍ତରଙ୍ଗ ତଥ୍ୟ ହାତେଇବା ଏବଂ ବିଭିନ୍ନ ପ୍ରସଙ୍ଗରେ ଭିନ୍ନମତ ପୋଷଣ କରୁଥିବା ଅଧିକାର କର୍ମୀମାନଙ୍କ କମ୍ପ୍ୟୁଟରଗୁଡ଼ିକରେ ସ୍ପାଏଓ୍ବେର ପ୍ଲାଣ୍ଟ (ରୋପଣ) କରିବା ଭଳି ଅନୈତିକ କାର୍ଯ୍ୟ ପୋଲିସ ପ୍ରଶାସନ କରୁଛି ବୋଲି ଜଣାପଡ଼ିଲାଣି। ଏଭଳି ସମୟରେ ଭାରତର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କଲା ଭଳି ଏକ ଚାଞ୍ଚଲ୍ୟକର ରିପୋର୍ଟ ଆମେରିକାର ଟେକ୍ନୋଲୋଜି ମାଗାଜିନ୍‌ ‘ଓ୍ବାୟର୍ଡ’ରେ ପ୍ରକାଶ ପାଇଛି। ଯେଉଁ ଅଧିକାର କର୍ମୀ ଓ ବୁଦ୍ଧିଜୀବୀମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇଥିଲା, ଗିରଫ ପୂର୍ବରୁ ସେମାନଙ୍କ କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନଗୁଡ଼ିକୁ ଭାରତ ସରକାରଙ୍କ ଦ୍ୱାରା ହ୍ୟାକ୍‌ କରାଯାଇ ସେଥିରେ କେତେକ ମିଥ୍ୟା ଫାଇଲ ପ୍ଲାଣ୍ଟ କରାଯାଇଥିଲା ବୋଲି ଏବେ ବିଦେଶୀ ସୂତ୍ରରୁ ଜଣାପଡ଼ିଛି। ଆମେରିକାର ପରିଚିତ କମ୍ପ୍ୟୁଟର ସୁରକ୍ଷା କମ୍ପାନୀ ସେଣ୍ଟିନେଲ ଓ୍ବାନ୍‌, ଅଣଲାଭକାରୀ ସଂସ୍ଥା ସିଟିଜେନ୍‌ ଲାବ୍‌ ଏବଂ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ କରାଯାଇଥିବା ଏକ ମିଳିତ ଗବେଷଣାରୁ ଏହା ପ୍ରଘଟ ହେବା ପରେ କେନ୍ଦ୍ର ସରକାର ପୁନର୍ବାର ସନ୍ଦେହ ଓ ପ୍ରଶ୍ନ ଘେରକୁ ଆସିଯାଇଛନ୍ତି। ‘ଓ୍ବାୟର୍ଡ’ ମାଗାଜିନର କହିବା ଅନୁଯାୟୀ ଏହି ଗବେଷଣା ଦ୍ୱାରା ସରକାରଙ୍କ ସମ୍ପୃକ୍ତି ସ୍ପଷ୍ଟ ଜଣାପଡ଼ୁଛି।
ମହାରାଷ୍ଟ୍ରର ବହୁଚର୍ଚ୍ଚିତ ଭୀମା-କୋରେଗାଓଁ ମାମଲା ସମ୍ପର୍କିତ ଉକ୍ତ ଅନୁସନ୍ଧାନମୂଳକ ରିପୋର୍ଟରେ ଦର୍ଶାଯାଇଛି ଯେ, ପୁଣେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଅଧିକାର କର୍ମୀ ଓ୍ବାରାଓ୍ବରା ରାଓ ଏବଂ ରୋନା ଓ୍ବିଲ୍‌ସନଙ୍କ ବୈଦ୍ୟୁତିକ ଉପକରଣରେ ଗୁପ୍ତଚରଗିରି ପାଇଁ ‘ମିଥ୍ୟା ଆପତ୍ତିଜନକ ପ୍ରମାଣ’ ଛାଡ଼ିଥିଲା। କେନ୍ଦ୍ର ସରକାର ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ବିକଶିତ ‘ପେଗାସସ୍‌’ ସ୍ପାଏଓ୍ବେର ଜରିଆରେ ଅନେକ ଅଧିକାର କର୍ମୀ, ଲେଖକ, ବିରୋଧୀ ଓ ବିଚାରପତିଙ୍କ ସ୍ମାର୍ଟଫୋନ୍‌ ହ୍ୟାକ୍‌ କରାଇ ସେମାନଙ୍କ ଅନ୍ତରଙ୍ଗ ତଥ୍ୟ ଲୁକ୍କାୟିତ ଭାବେ ଟାଣିନେଇଥିବା ଅଭିଯୋଗ ହୋଇଛି। ପେଗାସସ୍‌ ଭଳି ଇଟାଲୀରେ ପ୍ରସ୍ତୁତ ‘ହରମିଟ୍‌’ ନାମକ ଆଉ ଏକ ଆଣ୍ଡ୍ରଏଡ୍‌ ସ୍ପାଏଓ୍ବେରକୁ କାଜାଖସ୍ତାନ ସମେତ ବିଭିନ୍ନ ଦେଶର ସରକାର ନିଜ ନାଗରିକଙ୍କ ବିରୋଧରେ ଲଗାଇ ସେମାନଙ୍କ ଗୋପନୀୟ ତଥ୍ୟ ହାସଲ କରିଥିବା ବିଷୟ ସାଇବର ସିକ୍ୟୁରିଟି କମ୍ପାନୀ ‘ଆଉଟ୍‌ଲୁକ୍‌ ଥ୍ରେଟ୍‌ ଲାବ୍‌’ ଜାଣିବାକୁ ପାଇଛି। କଶ୍ମୀର ଉପତ୍ୟକାରେ ପାକିସ୍ତାନ ସମର୍ଥିତ ହାଇବ୍ରିଡ୍‌ ଆତଙ୍କବାଦୀ କଶ୍ମୀରୀ ପଣ୍ଡିତ ଓ ବାହ୍ୟ ରାଜ୍ୟରୁ ଆସି ମୂଲ ଖଟୁଥିବା ହିନ୍ଦୁ ପ୍ରବାସୀମାନଙ୍କୁ ଲଗାତର ଟାର୍ଗେଟ କିଲିଂ କରୁଥିବାବେଳେ ସରକାରୀ ଗୋଇନ୍ଦା କଳର ଟେକ୍ନୋଲୋଜି ସେମାନଙ୍କ ଲାଙ୍ଗୁଡ଼ ଛୁଇଁପାରୁନାହିଁ। ଅନ୍ୟପଟେ ଦେଶର ମାନବାଧିକାର ରକ୍ଷକ ଓ ଖବରଦାତାମାନଙ୍କ ଶୟନ କକ୍ଷକୁ ତାହା ଅନୁପ୍ରବେଶ କରୁଛି।
ଓ୍ବାରାଓ୍ବାରା ରାଓ ଏବଂ ରୋନା ଓ୍ବିଲ୍‌ସନଙ୍କୁ ୨୦୧୮ ଜାନୁୟାରୀ ୧ରେ ପୁଣେ ନିକଟସ୍ଥ ଭୀମା-କୋରେଗାଓଁରେ ଦଳିତ-ମରାଠୀ ହିଂସା ମାମଲାରେ ଗିରଫ କରାଯାଇଥିଲା। ସରକାରଙ୍କ ତରଫରୁ ସେତେବେଳେ କୁହାଯାଇଥିଲା ଯେ, ଏହି ଆଗଧାଡ଼ିର ନାଗରିକମାନେ ଭୀମା-କୋରେଗାଓଁରେ ଉତ୍ତେଜନା ସୃଷ୍ଟି କଲାଭଳି ଭାଷଣ ଦେଇଥିଲେ। ସେଥିପାଇଁ ପୋଲିସ କୁଆଡ଼େ ସୁଧା ଭରଦ୍ୱାଜ, ଅରୁଣ ଫେରେଇରା, ଅରୁଣ ଗୋନ୍‌ସାଲଭେସ୍‌, ଆନନ୍ଦ ତେଲତୁମ୍ବଡେ, ଗୌତମ ନଭଲଖା, ଭେର୍ନନ୍‌ ଗୋନ୍‌ସାଲଭେସ୍‌ ଏବଂ ଫାଦର ଷ୍ଟାନ୍‌ ସ୍ବାମୀଙ୍କ ସମେତ ୧୬ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା। ଭାରତ ସରକାରଙ୍କ ପତନ ଆଣିବା ପାଇଁ ଏହିମାନେ ଡାକରା ଦେଇଥିବା ସରକାର ଅଭିଯୋଗ କରିଥିଲେ। ସେହି ସମୟରେ ‘ମୋଡିଫାଏଡ୍‌ ଏଲିଫ୍ୟାଣ୍ଟ’ ହ୍ୟାକିଂ କ୍ୟାମ୍ପେନ୍‌ ପାଇଁ କାର୍ଯ୍ୟରତ ହ୍ୟାକର୍ସମାନଙ୍କୁ ବୁଦ୍ଧିଜୀବୀମାନଙ୍କ କମ୍ପ୍ୟୁଟରରେ ଆପତ୍ତିଜନକ ପ୍ରମାଣ ଭର୍ତ୍ତି କରିବାକୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ନିର୍ଦ୍ଦେଶ ଦେଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।
ଆଦିବାସୀଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରୁଥିବା ୮୪ ବର୍ଷୀୟ ପାଦ୍ରି ଷ୍ଟାନ୍‌ ସ୍ବାମୀ ଜେଲରେ କୋଭିଡ୍‌ ସଂକ୍ରମିତ ହୋଇ ବମ୍ବେ ହାଇକୋର୍ଟଙ୍କ ଜାମିନ ରାୟକୁ ଅପେକ୍ଷା କରିଥିବାବେଳେ ଗତବର୍ଷ ଜୁଲାଇ ୫ରେ ତାଙ୍କର ଦେହାନ୍ତ ହୋଇଥିଲା। ସେତେବେଳେ କେତେକ ମହଲରେ ଏହାକୁ ‘ଇନ୍‌ଷ୍ଟିଚ୍ୟୁଶନାଲ ମର୍ଡର’ ବା ସଂସ୍ଥାଗତ ହତ୍ୟା ଆଖ୍ୟା ଦିଆଯାଇଥିଲା। ସେହିପରି ଜେଲରେ ୮୧ ବର୍ଷୀୟ ତେଲୁଗୁ କବି ଓ୍ବାରାଓ୍ବାରା ରାଓଙ୍କ ସ୍ବାସ୍ଥ୍ୟ ଅତି ଖରାପ ହେବା ପରେ ତାଙ୍କୁ ମିଳିଥିବା ଜାମିନର ଅବଧି ଆଉ କିଛିଦିନ ପରେ ଶେଷ ହେବ। ଅର୍ଥାତ୍‌ ତାଙ୍କୁ ପୁନର୍ବାର ଜେଲ ଯିବାକୁ ପଡ଼ିବ। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଏବେ ଜେଲରେ ଶଢ଼ୁଛନ୍ତି। କିନ୍ତୁ ଗବେଷଣାରୁ ଜଣାପଡ଼ିଲାଣି ଯେ, ସବୁ ଅଭିଯୋଗ ମିଥ୍ୟା ଉପରେ ଆଧାରିତ। ଏହି ଗବେଷଣାକୁ ବିରୋଧ କରିବା ପାଇଁ ଅନେକେ ବାହାରି ପଡ଼ିବେଣି।
ଯେତେବେଳେ ସୁବିଧା ହେଉଛି, ସେତେବେଳେ ବିଦେଶୀ ସମର୍ଥନ କିମ୍ବା ପ୍ରଶଂସାକୁ ପ୍ରବଳ ମାତ୍ରାରେ ପ୍ରଚାର କରାଯାଉଛି। ଯେତେବେଳେ ଅରୁଚିକର ବିଦେଶୀ ମନ୍ତବ୍ୟ ପ୍ରକାଶ ପାଉଛି, ସେତେବେଳେ ବିଦେଶୀଙ୍କୁ ପ୍ରବଳ ବିରୋଧ କରିବା ପାଇଁ ଗୋଟିଏ ଗୋଷ୍ଠୀ ମୁଣ୍ଡ ଟେକୁଛି। ନିକଟ ଅତୀତରେ ବାରମ୍ବାର ଦାବି କରାଯାଉଥିଲା ଯେ, ଭାରତୀୟ ପାସ୍‌ପୋର୍ଟଧାରୀ ନାଗରିକ ଏବେ ବିଶ୍ୱରେ ସମ୍ମାନ ପାଇବାକୁ ଆରମ୍ଭ କଲେଣି। ଏହାର ଅର୍ଥ ହେଲା ପୂର୍ବରୁ ଏଭଳି ସମ୍ମାନ ମିଳୁ ନ ଥିଲା। ଏବେ ଯେତେବେଳେ କାତାର ଭଳି ବିଦେଶୀ ସରକାର କିମ୍ବା ସୁପରିଚିତ ସଙ୍ଗଠନଗୁଡ଼ିକ ଭାରତ ସରକାରଙ୍କ ସମ୍ପର୍କରେ ନକାରାମତ୍କ ମନ୍ତବ୍ୟ ଦେଉଛନ୍ତି, ସେତେବେଳେ ସେହି ଦେଶ ବା ସଙ୍ଗଠନର ଅଯୋଗ୍ୟତାକୁ ନେଇ ଭାରତରେ ପ୍ରବଳ ପ୍ରଚାର କରାଯାଉଛି। ଏଥିପ୍ରତି ଯଦି ନାଗରିକମାନେ ସଚେତନ ହୋଇ ସ୍ବର ନ ଉଠାନ୍ତି, ତେବେ ଭାରତର ସ୍ଥିତି ଆହୁରି ଦୁର୍ବଳ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri