ବିଳାସପୂର୍ଣ୍ଣ ଗାଡ଼ି ସଉକ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ଅତିରିକ୍ତ ଏସ୍‌ପି(କମ୍ୟୁନିକେଶନ) ତ୍ରିନାଥ ମିଶ୍ରଙ୍କ ଘର ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯିବା ପରେ ବହୁ କୋଟିର ସମ୍ପତ୍ତି ଠାବ କରାଯାଇଛି। ବିଭିନ୍ନ ସ୍ଥାନରେ ଏକାଧିକ କୋଠା, ପ୍ଲଟ ଏବଂ ବ୍ୟବସାୟ ପ୍ରତିଷ୍ଠାନ ସହ ୭ଟି ବିଳାସପୂର୍ଣ୍ଣ ଗାଡ଼ି ଠାବ କରାଯାଇଛି। ଗାଡ଼ିଗୁଡ଼ିକର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ଠାବ ହୋଇଥିବା ଗାଡ଼ି ମଧ୍ୟରେ ବିଏମ୍‌ଡବ୍ଲ୍ୟୁ ଏକ୍ସ୭ ମଡେଲ କାର ରହିଛି, ଯାହାର ବଜାର ମୂଲ୍ୟ ୧.୧୧କୋଟି ଟଙ୍କା ହେବ। ସେହିପରି ଆଉ ୩ଟି କାର ମଧ୍ୟ ଠାବ ହୋଇଛି। ବିଶେଷକରି କଟକ ସଦର ଥାନା ଅନ୍ତର୍ଗତ ଅଢ଼ାଳିଆ ମୌଜାର କୋଭେଣ୍ଟ ଗାର୍ଡେନସ୍ଥିତ ଭଡ଼ାଘରୁ ୩ଟି ଦାମୀ ସୁପର ବାଇକ୍‌ ଠାବ କରାଯାଇଛି। ସେଥିମଧ୍ୟରେ ଥିବା ଟ୍ରମ୍ଫ ରକେଟ ୩ଆର(ଓଡି୦୫-ଏଜେଡ-୦୦୦୫)ର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ। ଜଣେ ପୋଲିସ ଅଧିକାରୀଙ୍କ ନିକଟରୁ ଏତେ ଟଙ୍କାର ଗାଡ଼ି ଠାବ ହେବା ଘଟଣା ତାଙ୍କର ବିଳାସପୂର୍ଣ୍ଣ ଗାଡ଼ି ସଉକକୁ ଦର୍ଶାଉଛି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।