Categories: ଖେଳ

ଛକା ମାରି ଲକ୍ଷ୍ନୌକୁ ଜିତାଇଲେ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଦିଲ୍ଲୀକୁ ୬ ଉଇକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଚଳିତ ଆଇପିଏଲ୍‌ ସିଜନରେ ଲକ୍ଷ୍ନୌ ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲର। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୪୯ ରନ୍‌ରେ ଅଟକି ଯାଇଥିଲା। ଫଳରେ ଲକ୍ଷ୍ନୌ ଆଗରେ ବିଜୟ ପାଇଁ ୧୫୦ ରନ୍‌ର ଟାଗେର୍ଟ ରଖିଥିଲା ଦିଲ୍ଲୀ।

ଲକ୍ଷ୍ନୌର ଦୁଇ ଓପନର ଅଧିନାୟକ କେ.ଏଲ୍‌ ରାହୁଲ ଏବଂ କ୍ୱିଣ୍ଟନ ଡି କକ୍‌ ଦଳକୁ ଭଲ ଷ୍ଟାଟ ଦେଇଥିଲେ। ୯.୪ ବଲରେ ରାହୁଲ ଏବଂ ଡି କକ୍‌ ୭୩ ରନ୍‌ ଯୋଡିଥିଲେ। ରାହୁଲ ୨୫ ବଲରେ ୨୪ ରନ୍‌ କରି ପ୍ରଥମ ଉଇକେଟ ଭାବେ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। ବ୍ୟାଟିଂ କରିବାକୁ ଆସିଥିବା ଇଭିନ ଲୁଇସ ୫ ରନ୍‌ କରି ଆଉଟ ହୋଇଯାଇଥିଲେ। ହେଲେ ଡି କକ୍‌ ଧର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଆଗକୁ ନେଇଥିଲେ। ସେ ୫୨ବଲ୍‌ରେ ୮୦ରନ୍‌(୯ ଚଉକା ଏବଂ ୨ ଛକା) କରି ଦଳର ବିଜୟ ପଥ ପରିଷ୍କାର କରିଥିଲେ। ଶେଷ ଆଡକୁ ଦୀପକ ହୁଡା ଏବଂ କ୍ରୁନାଲ ପାଣ୍ଡ୍ୟା ଦମ୍‌ଦାର ପ୍ରଦର୍ଶନ କରିଥିବା ବେଳେ ଆୟୁଷ ବଦୋନି ଛକା ମାରି ଲକ୍ଷ୍ନୌକୁ ଜିତାଇଥିଲେ।

Share